ଆଇଟି କ୍ଷେତ୍ରରେ ଛଟେଇ ପର୍ବ; ୮ ମାସରେ ଗଲାଣି ଲକ୍ଷେରୁ ଅଧିକ ଟେକ୍ କର୍ମଚାରୀଙ୍କ ଚାକିରି

Published By : Prameya-News7 Bureau | September 06, 2024 IST

ନୂଆଦିଲ୍ଲୀ,୦୬/୦୯: ଆଇଟି ଶିଳ୍ପରେ ଚାଲିଛି ଛଟେଇ । ଚଳିତ ବର୍ଷର ଏପର୍ଯ୍ୟନ୍ତ ୮ ମାସରେ ୪୨୨ କମ୍ପାନିଙ୍କ ଦ୍ୱାରା ୧,୩୬,୦୦୦ରୁ ଉର୍ଦ୍ଧ୍ବ ଟେକ୍‌ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଶିଳ୍ପରେ ବଡ଼ ଧରଣର ଅନିଶ୍ଚିତତାକୁ ଏହା ଦର୍ଶାଉଛି । କେବଳ ଅଗଷ୍ଟରେ   ୨୭,୦୦୦ରୁ ଅଧିକ କର୍ମଚାରୀ ନିଯୁକ୍ତି ହରାଇଥିବା ଜଣାପଡ଼ିଛି । ଇଣ୍ଟେଲ, ଆଇବିଏମ୍‌ ଏବଂ ସିସ୍‌କୋ ସମେତ ୪୦ରୁ ଉର୍ଦ୍ଧ୍ବ କମ୍ପାନିରୁ ଏତେ ସଂଖ୍ୟକ  କର୍ମଚାରୀଙ୍କୁ କଢ଼ାଯାଇଛି ।  

ଆହ୍ୱାନମୂଳକ ପରିସ୍ଥିତିର ସାମ୍ନା କରୁଥିବା ଇଣ୍ଟେଲ୍‌ ୧୫,୦୦୦ ଛଟେଇ ଘୋଷଣା କରିଛି । ଏହା କମ୍ପାନିର ମୋଟ୍ ଶ୍ରମବଳର ୧୫%ରୁ ଅଧିକ । ୨୦୨୫ ପାଇଁ ୧୦୦୦ କୋଟି ଡଲାର ଖର୍ଚ୍ଚକାଟ ଯୋଜନା ରଖିଛି କମ୍ପାନି । ଏହା ତା’ର ଅଂଶବିଶେଷ । ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ୱିତୀୟ ତ୍ରୟମାସରେ କମ୍ପାନି ଆୟ ନିରାଶାଜନକ ରହିଛି । ୨୦୨୦ରୁ ୨୦୨୩ ମଧ୍ୟରେ ମାନବ ସମ୍ବଳରେ ୧୦%  ବୃଦ୍ଧି ସତ୍ତେ୍ୱ କମ୍ପାନିର ବାର୍ଷିକ ଆୟ ୨୪୦୦  କୋଟି ଡଲାର ହ୍ରାସ ପାଇଛି । ଏସବୁକୁ ଦୃଷ୍ଟିରେ ରଖି କମ୍ପାନି ଖର୍ଚ୍ଚକାଟ ଯୋଜନା କରିଛି । ସିଇଓ ପାଟ୍‌ ଜେଲ୍‌ସିଙ୍ଗର  କହିଛନ୍ତି ଯେ, ଅଧିକ ଖର୍ଚ୍ଚ ଏବଂ କମ୍‌  ଲାଭ ଯୋଗୁ ଇଣ୍ଟେଲ ରାଜସ୍ୱ ଅଭିବୃଦ୍ଧି  କମିଛି ।   

ସିସ୍‌କୋ ସିଷ୍ଟମ୍ସ ମଧ୍ୟ ପ୍ରାୟ ୬,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି, ଯାହାକି କମ୍ପାନିର ସମଗ୍ର ବିଶ୍ୱରେ  ଥିବା ମୋଟ କାର୍ଯ୍ୟଶକ୍ତିର ପ୍ରାୟ ୭% । କମ୍ପାନି ଏବେ ଏଆଇ ଏବଂ ସାଇବର  ସୁରକ୍ଷା ଭଳି ଉଚ୍ଚ-ଅଭିବୃଦ୍ଧିଭିତ୍ତିକ କ୍ଷେତ୍ର  ଉପରେ ଗୁରୁତ୍ୱ ଦେଉଛି । ଚଳିତବର୍ଷ  ଏହା କମ୍ପାନିର ଦ୍ୱିତୀୟ ବୃହତ୍‌ ଛଟେଇ ।  କମ୍ପାନିର ସିଇଓ ଚକ୍‌ ରବିନ୍ସ ସିସ୍‌କୋର  ଭବିଷ୍ୟତକୁ ନେଇ ଆଶାବାଦୀ ଅଛନ୍ତି । ଉପରୋକ୍ତ ପ୍ରଯୁକ୍ତିଗୁଡ଼ିକରେ ପୁଞ୍ଜି   ଖଟାଇବା ପାଇଁ କମ୍ପାନି ପୁନଃସଂରଚନା   ଉପରେ ଫୋକସ୍‌ କରୁଛି । ଏଆଇ   ଷ୍ଟାର୍ଟଅପ୍‌ଗୁଡ଼ିକରେ ଏହା ୧୦୦ କୋଟି   ଡଲାର ନିବେଶ କରିବାକୁ ଯୋଜନା  କରିଛି ।  

ସେହିଭଳି ଆଇବିଏମ୍‌ ଚୀନ୍‌ରେ  ଏହାର ଗବେଷଣା ଏବଂ ବିକାଶ  କାରବାରକୁ ବନ୍ଦ କରିବା ପାଇଁ ଘୋଷଣା  କରିଛି । ଏଥିସହିତ କମ୍ପାନିର ୧,୦୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଛଟେଇ ହେବେ । ଚୀନ୍‌ ବଜାରରେ ଆଇଟି ହାର୍ଡୱେର୍‌ ଉତ୍ପାଦର ଚାହିଦା ହ୍ରାସ ଏବଂ ସମ୍ପ୍ରସାରଣରେ ସମସ୍ୟା ହେତୁ କମ୍ପାନି ଉପରୋକ୍ତ ନିଷ୍ପତ୍ତି  ନେଇଛି । ଜର୍ମାନିଭିତ୍ତିକ ଚିପ୍‌ନିର୍ମାତା ଇନ୍‌ଫିନିୟନ୍‌ ୧୪୦୦ ଛଟେଇ କରିବାକୁ  ଘୋଷଣା କରିଛି ।   ଆହୁରିମଧ୍ୟ ନିମ୍ନ ଶ୍ରମ ଖର୍ଚ୍ଚ ଥିବା ରାଷ୍ଟ୍ରଗୁଡ଼ିକୁ ୧୪୦୦ କର୍ମଚାରୀଙ୍କୁ ପୁନଃ  ଅବସ୍ଥାପିତ କରିବାକୁ ଏହା ନିଷ୍ପତ୍ତି  ନେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.