ଘୂର୍ଣ୍ଣିଝଡ଼ ୟାଗୀ ତାଣ୍ଡବ: ପଡ଼ୋଶୀର ବିପଦରେ ସହଯୋଗର ହାତ ବଢ଼ାଇଲା ଭାରତ, ଆରମ୍ଭ ହେଲା ଅପରେସନ ସଦଭାବ

Published By : Prameya-News7 Bureau | September 15, 2024 IST

indiatoday

ନୂଆଦିଲ୍ଲୀ: ନିକଟରେ ଘୂର୍ଣ୍ଣିଝଡ଼ ୟାଗୀ ଚୀନ ସମେତ, ମିଆଁମାର, ଲାଓସ ଓ ଭିଏତନାମକୁ ଭୟଙ୍କର କ୍ଷତି ପହଞ୍ଚାଇଛି। ଚୀନ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ବି ଅନ୍ୟ ୩ ରାଷ୍ଟ୍ର ୟାଗୀର ତାଣ୍ଡବରେ ବଡ଼ ଧରଣର ଆର୍ଥିକ ସଂକଟ ଓ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ସବୁଥର ପରି ଏଥର ବି ଭାରତ ବିପଦ ସମୟରେ ପଡ଼ୋଶୀଙ୍କ ସହଯୋଗ କରିବାକୁ ବାହାରିଛି। ଆରମ୍ଭ କରିଛି ଅପରେସନ ସଦଭାବ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି। 

ରବିବାର ଭାରତ ଅପରେସନ ସଦଭାବ ଆରମ୍ଭ କରି ବନ୍ୟା ପ୍ରଭାବିତ, ଲାଓସ, ମିଆଁମାର ଓ ଭିଏତନାମକୁ ଜରୁରୀକାଳୀନ ରିଲିଫ ପଠାଇଛି। ଚଳିତ ବର୍ଷର ସବୁଠାରୁ ବଡ଼ ଘୂର୍ଣ୍ଣି ଝଡ଼ ୟାଗୀ ପାଇଁ ଏହି ୩ ରାଷ୍ଟ୍ରରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଏବେ ବି ଏକାଧିକ ଗାଁ ବନ୍ୟାପାଣି ଘେରରେ ବୁଡ଼ି ରହିଛି। ହଜାର ହଜାର ଲୋକ ବେଘର ହୋଇଛନ୍ତି।

ସପ୍ତାହ ତଳେ ଦକ୍ଷିଣ ଚୀନ ସାଗରରେ ଘୂର୍ଣ୍ଣିଝଡ଼ ୟାଗୀ ଲ୍ୟାଣ୍ଡଫଲ୍ କରିଥିଲା। ଏଥିରେ ଭିଏତନାମରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିଆଁମାରରେ ୪୦ ଜଣଙ୍କର ଜୀବନ ଯାଇଥିଲା। ଏହି ବିପଦ ସମୟରେ ଭାରତ ଲାଓସ ଓ ଭିଏତନାମରେ ସି-୧୭ ଗ୍ଲୋବମାଷ୍ଟର ଏୟାରକ୍ରାଫ୍ଟ ଜରିଆରେ ମାନବୀୟ ସହାୟତା ଯୋଗାଉଛି। ହିଣ୍ଡନ ଏୟାର ବେସ୍‌ ଅପରେସନ ସଦଭାବ କାର୍ଯ୍ୟକାରୀ କରାଯାଉଛି। 

ଅପରେସନ ସଦଭାବ ଜରିଆରେ ଭିଏତନାମକୁ, ୩୫ ଟନ୍ ସାମଗ୍ରୀ ପଠାଯାଇଛି।, ଯେଉଁଥିରେ ଜଳ ବିଶୋଧନ ଉପକରଣ, କଣ୍ଟେନର୍ସ, କମ୍ବଳ, ରୋଷେଇ ଘରର ବାସନ ଏବଂ ସୌର ଲଣ୍ଠନ ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଛି। ସେହିପରି ଲାଓସକୁ ଜେନେରେଟର, ସ୍ୱଚ୍ଛତା ଉତ୍ପାଦ, ମଶାରୀ, କମ୍ବଳ ଏବଂ ଶୋଇବା ବ୍ୟାଗ ସହିତ ୧୦ ଟନ୍ ଜରୁରୀ ସାମଗ୍ରୀ ପଠାଯାଇଛି ବୋଲି ଜୟଶଙ୍କର କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.