ଟ୍ରମ୍ପଙ୍କ ଘଟଣାରେ ମସ୍କଙ୍କ ବିବାଦୀୟ ଟିପ୍ପଣୀ; କହିଲେ ବାଇଡେନ ଏବଂ କମଲାଙ୍କୁ ହେଉନାହିଁ ହତ୍ୟା ଉଦ୍ୟମ ?

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ବିତୀୟ ଥର ହତ୍ୟା ଉଦ୍ୟମ ହୋଇଛି । ଫ୍ଲୋରିଡାର ଓ୍ବେଷ୍ଟ ବିଚରେ ଗଲ୍ଫ ଖେଳୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ହମଲାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ । ଗୁଇନ୍ଦ ଏଜେନ୍ସି ଆମେରିକା ସିକ୍ରେଟ୍ ସର୍ଭିସ୍ ଏହି ଘଟଣାର ଯାଞ୍ଚ କରୁଛି । ତେବେ ଟ୍ରମ୍ପଙ୍କୁ କାହିଁକି ହତ୍ୟା ଉଦ୍ୟମ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ଏହି ଘଟଣାକୁ ନେଇ ଅରବପତି ମାଲିକ ଏଲନ ମସ୍କ ବିବାଦୀୟ ଟିପ୍ପଣୀ ସୋସିଆଲ୍ ମିଡିଆ ପ୍ଲାଟ୍ ଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । 

ସେ ପ୍ରତିକ୍ରିୟା  ରଖି ପ୍ରଶ୍ନ କରିଛନ୍ତି, କେବଳ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କାହିଁକି ମଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି ? ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କିମ୍ବା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହତ୍ୟା ପ୍ରୟାସ ହେଉନାହିଁ ? ସୋସିଆଲ୍ ମିଡିଆ ଏକ୍ସରେ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ମସ୍କ । ଏହାକୁ ନେଇ ଏବେ ଚର୍ଚ୍ଚ ଜୋର ଧରିଛି । 

ସୂଚନା ଅନୁଯାୟୀ, ଫ୍ଲୋରିଡାର ପାମ୍ ବିଚ୍ ନିକଟରେ ଥିବା ଗୋଲ୍ଫ କ୍ଲବ ବାହାରେ ଏହି ଗୁଳିମାଡ଼ ହୋଇଛି । ଏକ-୪୭ରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ଏହି ଘଟଣା ପରେ ଆମେରିକା FBI ଏବଂ ସିକ୍ରେଟ୍ ସର୍ଭିସ୍ ସାମ୍ବିଦିକ ସମ୍ମିଳନୀ କରିଛି । ସ୍ଥାନୀୟ ସମୟ ରବିବାର ଦିନ ସାଢ଼େ ୧୧ଟା ସମୟରେ ଗୋଲ୍‌ଫ କୋର୍ସ ଆଖପାଖରେ ଏହି ଗୁଳିମାଡ଼ ହୋଇଥିବା କ୍ରେଟ୍ ସର୍ଭିସ୍ ଅଧିକାରୀ କହିଛନ୍ତି । ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ଦାୟିତ୍ବ ଆମେରିକା ସଂଘୀୟ ଯାଞ୍ଚ ବ୍ୟୁରୋକୁ ଦିଆଯାଇଛି । 

ଗୋଲ୍ଫ କୋର୍ସରେ ନିକଟରେ ଥିବା ଘଞ୍ଚ ଅରଣ୍ୟରୁ ଏକ AK-47 ମିଳିଛି ଏବଂ ଏହି ଘଟଣାରେ ଜଣେ ସନ୍ଦିଗ୍ଧ ୫୮ ବର୍ଷୀୟ ରିୟନ ଓ୍ବେଲ୍ସ ରୁଥଙ୍କୁ ଗିରଫ କରାଯାଇଛି । ବନ୍ଧୁକଧାରୀ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ମାତ୍ର ୩୦୦ରୁ ୫୦୦ ମିଟର ଦୂରରେ ରହିଥିଲା । ଏଯାଏ ସ୍ପଷ୍ଟ ହୋଇନାହିଁ କେଉଁ କାରଣରୁ ଆକ୍ରମଣକାରୀ କାହିଁକି ଗୁଳି ମାଡ଼ କରିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.