ନୂଆଦିଲ୍ଲୀ: ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକାର ଦ୍ୱିତୀୟ ବିମାନ ଭାରତରେ ପହଞ୍ଚି ସାରିଛି। ପୂର୍ବ ଥର ପରି ଏଥରି ବି ପ୍ରବାସୀ ଭାରତୀୟଙ୍କ ଗୋଡ଼ ହାତ ବାନ୍ଧି ଆଣି ଭାରତରେ ଛାଡ଼ି ଯାଇଛି ଆମେରିକା। ଦ୍ୱିତୀୟ ପର୍ଯ୍ୟାୟରେ ଭାରତରେ ଆସିଥିବା ଯାତ୍ରୀମାନେ ପୂର୍ବ ଯାତ୍ରୀଙ୍କ ଭଳି ସମାନ ଅଭିଯୋଗ କରିଛନ୍ତି। ଯାତ୍ରା ସମୟରେ ସେମାନଙ୍କ ଗୋଡ଼ରେ ଚେନ୍ ବାନ୍ଧିବା ସହିତ ହାତରେ ହ୍ୟାଣ୍ଡକପ ପଡ଼ିଥିଲା ବୋଲି ସେମାନେ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଏଭଳି ଅବସ୍ଥା ଦେଖିବା ପରେ ସାରା ଦେଶରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଆମେରିକା ପାଖରେ ଭାରତୀୟଙ୍କର ଏଭଳି ସମ୍ମାନ ରହିଛି ବୋଲି କହି ବିରୋଧୀ ସରକାରଙ୍କୁ ଘେରିଥିଲେ। ଜବାବରେ ସରକାର କହିଥିଲେ ଯେ ଏହା ଆମେରିକାର ନିୟମରେ ରହିଛି। ତେବେ ଆଗକୁ ଯେମିତି ଏଭଳି ନ ହୁଏ ସେ ନେଇ ଆମେରିକା ସହିତ ଆଲୋଚନା ଜାରି ରହିଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟଙ୍କ ସହିତ ସମାନ ବ୍ୟବହାର କରିଛି ଆମେରିକା।
ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ନିର୍ବାସିତ ଭାରତୀୟଙ୍କ ମଧ୍ୟରୁ ପଞ୍ଜାବରୁ ୬୫ ଜଣ, ହରିୟାଣାରୁ ୩୩ ଜଣ, ଗୁଜରାଟରୁ ୮ ଜଣ, ଉତ୍ତର ପ୍ରଦେଶ, ଗୋଆ, ମହାରାଷ୍ଟ୍ର ଏବଂ ରାଜସ୍ଥାନରୁ ୨ ଜଣ, ହିମାଚଳ ପ୍ରଦେଶ ଓ ଜମ୍ମୁ ଏବଂ କାଶ୍ମୀରରୁ ୧ ଜଣ ଲେଖାଏଁ ଲୋକ ରହିଛନ୍ତି। ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁସାରେ ନିର୍ବାସିତଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବ।
ଆମେରିକାର ଆହୁରି ଭାରତୀୟଙ୍କୁ ଅଣାଯିବ। ରବିବାର ୧୫୭ ଜଣ ନିର୍ବାସିତଙ୍କୁ ନେଇ ତୃତୀୟ ବିମାନ ଅମୃତସରରେ ଅବତରଣ କରିବ ବୋଲି ଆଶା କରାଯାଉଛି। ତଥାପି, ବିମାନ ଆସିବାର ସମୟ ବିଷୟରେ କୌଣସି ଆଗୁଆ ସୂଚନା ମିଳିନାହିଁ।
ପଢନ୍ତୁ- ମୋଦୀଙ୍କ ଫେରିବାର ସପ୍ତାହେ ବିତିନି ଭାରତକୁ ଆଉ ଏକ ଝଟ୍କା ଦେଲା ଆମେରିକା: ବନ୍ଦ କଲା ନିର୍ବାଚନ ପାଣ୍ଠି
ଫେବ୍ରୁଆରୀ ୫ରେ ପ୍ରଥମ ପର୍ଯ୍ୟାୟରେ ଆମେରିକା ୧୦୪ ନିର୍ବାସିତ ଭାରତୀୟଙ୍କୁ ଧରି ଗୋଡ଼ାହାତ ବାନ୍ଧି ଆଣି ଭାରତରେ ଛାଡ଼ିଥିଲା। ଯେଉଁଥିରେ ୧୩ ଛୋଟ ପିଲା ଥିଲେ। ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ନିଜ ଦେଶରୁ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ତଡ଼ା ଯାଉଛି। ନିର୍ବାଚନ ପୂର୍ବରୁ ବେଆଇନ ପ୍ରବାସୀଙ୍କୁ ତଡ଼ିବା ପାଇଁ ଟ୍ରମ୍ପ ଘୋଷଣା କରିଥିଲେ। ଜାନୁଆରୀ ୨୦ ତାରିଖରେ ସେ ରାଷ୍ଟ୍ରପତି ହେବା ପରେ ପ୍ରତିଶ୍ରୁତି ପୂରଣ ପାଇଁ ଜୋର୍ସୋର୍ରେ ନିର୍ବାସନ ପ୍ରକ୍ରିୟା ଜାରି ରହିଛି।