ନୂଆଦିଲ୍ଲୀ: ୮ ବର୍ଷ ପରେ ଶେଷରେ ବିଦେଶିନୀଙ୍କ ପରିବାରକୁ ମିଳିଲା ନ୍ୟାୟ । ଆଇରିସ୍ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍ଦଣ୍ଡ । ଗୋଆ ଅଦାଲତ ମାମଲାର ବିଚାର କରି ଅଭିଯୁକ୍ତ ବିକଟ୍ ଭଗତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ସଜା ଶୁଣାଇଛନ୍ତି । ଫଳରେ ୮ ବର୍ଷ ଆଇନ ଲଢ଼େଇ ପରେ ମୃତ ପୀଡ଼ିତାଙ୍କ ପରିବାରକୁ ଆଶ୍ବସ୍ତି ମିଳିଛି ।
ସୂଚନା ଆନୁଯାୟୀ, ୨୦୧୭ ମସିହା ଫେବ୍ରୁଆରୀ ମାସରେ ଆୟର୍ଲାଣ୍ଡର ଡାନିଏଲ୍ ମାକଲକ୍ଲିନ୍ ଗୋଆର ମାଣ୍ଡଓ୍ବା ଜିଲ୍ଲାକୁ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଆସିଥିଲେ । ସେ ମାର୍ଚ୍ଚ ୧୩ ତାରିଖରେ ପାଲୋଲିମା ବିଲ୍ ନିକଟରେ ଥିବା ଏକ ଗାଁକୁ ହୋଲି ପର୍ବ ପାଳନ ପାଇଁ ଯାଇଥିଲେ । ମାତ୍ର ହୋଟେଲକୁ ଫେରୁ ଫେରୁ ବିଳମ୍ବ ହୋଇଯାଇଥିଲା । ରାତିରେ ଏକାକୀ ଫେରୁଥିବା ବେଳେ ଅଭିଯୁକ୍ତ ବିକଟ ଭଗତ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ହତ୍ୟା କରି ଫିଙ୍ଗି ଦେଇଥିଲେ । କେହି ଯେପରି ଚିହ୍ନ ନପାରିବେ, ସେଥିପାଇଁ ଜହ୍ଲାଦ ବିଦେଶିନୀଙ୍କ ମୁହଁକୁ ଅତି କ୍ରୁରତାର ସହିତ ପଥରେ ଛେଚି ଦେଇଥିଲା । ମାର୍ଚ୍ଚ ୧୪ ତାରିଖରେ ଆଇରିସ୍ ମହିଳାଙ୍କ ମୃତଦେହ କାନାକୋନା ବିଚ୍ ନିକଟରେ ଏକ ନିଛଟିଆ ସ୍ଥାନରୁ ପୋଲିସ ଉଦ୍ଧାର କରିଥିଲା । ପୋଷ୍ଟ ମର୍ଟମ ରିପୋର୍ଟରେ ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ରିପୋର୍ଟରେ ଆସିଥିଲା ।
ଏହି ଘଟଣାରେ ଗୋଆ ଅଦାଲତ ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି । ଜହ୍ଲାଦ ଅଭିଯୁକ୍ତ ବିକଟ ଭଗତଙ୍କୁ ଆଜୀବନ ଜେଲ୍ଦଣ୍ଡ ଶୁଣାଇଛନ୍ତି । ସେପଟେ ୮ ବର୍ଷ ପରେ ନ୍ୟାୟ ମିଳିବା ପରେ ମୃତ ମହିଳାଙ୍କ ପରିବାର ଆଶ୍ବସ୍ତ ହୋଇଛନ୍ତି ।