କୋଡରମା ୯।୪: ଝାଡଖଣ୍ଡ କୋଡରମା ଜିଲ୍ଲାରେ ବୁଧବାର ଏକ ସ୍କୁଲ ଘର ଉପରେ ବଜ୍ରପାତ ହୋଇଛି। ଫଳରେ ପାଠ ପଢୁଥିବା ୯ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏହି ବଜ୍ରପାତ ମଧ୍ୟାହ୍ନରେ ହୋଇଥିବା ଜନୈକ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ମରକଚୋ ଥାନା ଲଲକାପାନୀ ଗାଁ ସ୍କୁଲରେ ଘଟିଛି। ବଜ୍ରପାତ ସେତେବେଳେ ହୋଇଥିଲା ଯେତେବେଳେ ବିଦ୍ୟାଳୟରେ ପାଠପଢା ଚାଲିଥିଲା। ବିଡିଓ ହୁଲାସ ମହାତୋ କହିଛନ୍ତି ଯେ ଘଟଣା କାଳରେ ବିଦ୍ୟାଳୟ ପରିସରରେ କିଛି ପିଲାଙ୍କ ଅଭିଭାବକ ମଧ୍ୟ ଥିଲେ।
ଅଭିଭାବକ କହିଛନ୍ତି ଯେ ସ୍କୁଲର ଆଜବେଷ୍ଟସ ଛାତ ହୋଇଥିବା ବେଳେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଲୁହା ବେଞ୍ଚ ଓ ଡେସ୍କରେ ବସିଥିଲେ। ବଜ୍ରପାତ ବେଳେ ଶ୍ରେଣୀରେ ବସିଥିବା ଛାତ୍ରୀମାନେ ଏହା ଅନୁଭବ କରିଥିଲେ। ଏହି ଘଟଣାରେ ୯ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଓ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି।
ବିଦ୍ୟାଳୟ ଉପରେ ବଜ୍ରପାତ ଖବର ପାଇ ମରକଚୋ ବିଡିଓ ହୁଲାସ ମହାତୋ ଘଟଣାସ୍ଥଳକୁ ପହଞ୍ଚିଥିଲେ ଓ ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ତେବେ ସ୍କୁଲର ଭିତ୍ତିଭୂମି ସୁରକ୍ଷା ନିୟମ ଅନୁରୂପ ହୋଇଛି କି ନା ତାହା ଜାଣିବାକୁ ଏବେ ଉଦ୍ୟମ କରାଯାଉଥିବା ବିଡିଓ ମହାତୋ କହିଛନ୍ତି। ଏବେ ରାଜ୍ୟରେ କାଳ ବୈଶାଖୀ ବର୍ଷା ସାଙ୍ଗକୁ ଝଡତୋଫାନ ଓ ବଜ୍ରପାତ ହେଉଛି। ଏଣୁ ସାଧାରଣ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ବିଡିଓ ପରାମର୍ଶ ଦେଇଛନ୍ତି।