AIIMS ରୁ ଡିସଚାର୍ଜ ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ ୨୭।୬: ନୂଆଦିଲ୍ଲୀସ୍ଥିତ ଏମସ୍‌ରେ ଭର୍ତ୍ତି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଗୁରୁବାର ଡିସଚାର୍ଜ କରାଯାଇଛି। ଏହା ପୂର୍ବରୁ ହସ୍ପିଟାଲ ପକ୍ଷରୁ ଦିନବେଳା କୁହାଯାଇଥିଲା ଯେ ବରିଷ୍ଠ ବିଜେପି ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ବିଶେଷଜ୍ଞଙ୍କ ଟିମ୍‌ ତାଙ୍କର ଯାଞ୍ଚ କରୁଛନ୍ତି। ୯୬ବର୍ଷ ବୟଷ୍କ ପୂର୍ବତନ ଉପ ପ୍ରଧାନମନ୍ତ୍ରୀଙ୍କୁ ବୁଧବାର ରାତି ପାଖାପାଖି ସାଢେ ୧୦ଟା ବେଳେ ଦିଲ୍ଲୀସ୍ଥିତ ଏମସ୍‌ରେ ଭର୍ତ୍ତି କରାଯାଇଥିଲା।  

ତାଙ୍କୁ ପୁରୁଣା ପ୍ରାଇଭେଟ ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ନ୍ୟୁରୋଲଜି, କାର୍ଡିୟୋଲଜି ଓ ଜେରିୟେଟ୍ରିକ୍ ମେଡିସିନ ସମେତ ବିଭିନ୍ନ ବିଶେଷଜ୍ଞତା ଥିବା ଡାକ୍ତରଙ୍କ ଟିମ୍‌ ଦ୍ୱାରା ଚିକିତ୍ସା କରାଯାଇଥିଲା। ତେବେ ଆଡଭାନୀ ଅଚାନକ କାହିଁକି ଅସୁସ୍ଥତା ଅନୁଭବ କଲେ ତାହା ଜଣାପଡି ନାହିଁ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟବାର କେନ୍ଦ୍ରରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବା ପୂର୍ବରୁ ଆଡଭାନୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ। 

ଲାଲକୃଷ୍ଣ ଆଡଭାନୀ ଭାରତୀୟ ରାଜନୀତିର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ନେତୃତ୍ୱରେ ବିଜେପି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିଛି। ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ସତ୍ତ୍ୱେ ସେ ତାଙ୍କ ରାଜନୈତିକ ଜୀବନରେ ନିରନ୍ତର ସକ୍ରିୟତା ଓ ସମର୍ପଣ ପ୍ରଦର୍ଶନ କରିଛନ୍ତି। ତାଙ୍କ ରାଜନୈତିକ ଯାତ୍ରା ଓ ଯୋଗଦାନ ଭାରତୀୟ ରାଜନୀତିରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.