ଲୋକସଭା ନିର୍ବାଚନ ଫଳାଫଳ କହୁଛି ଭାରତ ‘ହିନ୍ଦୁ ରାଷ୍ଟ୍ର’ ନୁହେଁ: ଅମର୍ତ୍ତ୍ୟ ସେନ

Published By : Prameya-News7 Bureau | June 27, 2024 IST

କୋଲକାତା ୨୭।୬: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ କେନ୍ଦ୍ରର ବିଜେପି ସରକାର ଉପରେ କଟାକ୍ଷ କରିଛନ୍ତି। କହିଛନ୍ତି ଯେ ‘ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ଫଳାଫଳରୁ ସଂକେତ ମିଳୁଛି ଯେ ଭାରତ ‘ହିନ୍ଦୁ ରାଷ୍ଟ୍ର’ ନୁହେଁ’। ସେ କହିଛନ୍ତି ଯେ ରାଜନୈତିକ ରୂପେ ଖୋଲା ବିଚାରର ହେବା ଦରକାର, ଖାସ କରି ସେତେବେଳେ ଯେତେବେଳେ ଭାରତ ଏକ ଧର୍ମନିରପେକ୍ଷ ସମ୍ବିଧାନର ଏକ ଧର୍ମ ନିରପେକ୍ଷ ଦେଶ। 

ସେନ ଗଣମାଧ୍ୟମକୁ କହିଛନ୍ତି ଯେ ‘ମୋତେ ଲାଗୁନି ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ରେ ବଦଳାଇବାର ବିଚାର ଉଚିତ ଅଟେ.. ଭାରତ ‘ହିନ୍ଦୁରାଷ୍ଚ୍ର’ ନୁହେଁ ଏହା କେବଳ ନିର୍ବାଚନ ଫଳାଫଳରେ  ପରିଲକ୍ଷିତ ହୋଇଛି’। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେପି ୨୪୦ଟି ଆସନ ଜିତି ବଡ଼ ପାର୍ଟି ରୂପେ ଉଭା ହୋଇଛି। ତେବେ ଏହା ୫୪୩ ସଦସୀୟ ଲୋକସଭାରେ ୨୭୨ର ସାଧାରଣ ବହୁମତରୁ କମି ଯାଇଛି। ଏଣୁ କେନ୍ଦ୍ରରେ ସରକାର ଗଢିବାକୁ ବିଜେପି ନିଜର ସହଯୋଗୀ ଏନ.ଚନ୍ଦ୍ରବାବୁ ନାୟଡୁଙ୍କ ଟିଡିପି ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ ହୋଇଛି। 

କଂଗ୍ରେସକୁ ୯୯ଟି ଆସନ ମିଳିଥିବା ବେଳେ ବିରୋଧୀ ଇଣ୍ଡିଆ ବ୍ଲକକୁ ୨୩୪ଟି ଆସନ ମିଳିଛି। ୯୦ ବର୍ଷ ବୟଷ୍କ ଅର୍ଥଶାସ୍ତ୍ରୀ ଅନେକ ନେତାଙ୍କୁ ବିନା ମକଦ୍ଦମାରେ ଜେଲରେ ରଖାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆମେ ସବୁବେଳେ ନିର୍ବାଚନ ପରେ ପରିବର୍ତ୍ତନ ଦେଖିବାକୁ ଆଶା ରଖିଥାଉ। ପୂର୍ବରୁ ( ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ) ଯାହା ସବୁ ହେଉଥିଲା ଏଥିରୁ କିଛି, ଯେପରି ଲୋକଙ୍କୁ ବିନା ମକଦ୍ଦମାରେ ଜେଲରେ ରଖିବା ଓ ଧନୀ-ଗରିବଙ୍କ ମଧ୍ୟରେ ଦୂରତା ବଢିବା ଜାରି ରହିଛି। ଏହାକୁ ରୋକାଯିବା ଦରକାର।

ସେନ ମନେ ପକାଇଥିଲେ ଯେ ତାଙ୍କ ବାଲ୍ୟାବସ୍ଥାରେ ତାଙ୍କର କେତେକ ଦାଦା ଓ ଦାଦାପୁଅ ଭାଇମାନଙ୍କୁ ବିନା ମକଦ୍ଦମାରେ ଜେଲରେ ରଖାଯାଇଥିଲା। ଆମେ ଆଶା କରୁଥିଲୁ ଭାରତ ଏଥିରୁ ମୁକ୍ତ ହୋଇଯିବ। ତେବେ ଏହା ଦେଶ ସ୍ୱାଧୀନ ହେବା ପରେ ବି ଅଟକି ନାହିଁ, ଏଥି ପାଇଁ କଂଗ୍ରେସ ଅନେକ ପରିମାଣରେ ଦାୟୀ। ସେମାନେ ଏହାକୁ ବଦଳାଇଲେ ନାହିଁ, ବର୍ତ୍ତମାନର ସରକାରରେ ଏହା ବହୁଳ ପ୍ରଚଳନରେ ରହିଛି। ସେନ କହିଛନ୍ତି ଯେ ଏବେକା ମନ୍ତ୍ରୀମଣ୍ଡଳ ପୂର୍ବରୁ ଥିବା ମନ୍ତ୍ରୀମଣ୍ଡଳର ନକଲ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ମନ୍ତ୍ରୀମାନଙ୍କ ନିକଟରେ ସମାନ ବିଭାଗ ରହିଛି। 

ସାମାନ୍ୟ ପରିବର୍ତ୍ତନ ସତ୍ତ୍ୱେ ରାଜନୈତିକ ରୂପେ କ୍ଷମତାଶାଳୀ ଲୋକେ ଏବେବି ଶକ୍ତିଶାଳୀ ଅଛନ୍ତି। ନୋବେଲ ବିଜେତା କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ସତ୍ତ୍ୱେ ବିଜେପି ଫୈଜାବାଦରେ ଅଯୋଧ୍ୟା ଆସନ ହାରିଯାଇଛି। କାରଣ ଦେଶର ଅସଲି ପରିଚୟକୁ ନଷ୍ଟ କରିବାଲାଗି ଉଦ୍ୟମ କରାଯାଇଥିଲା। ସେ କହିଛନ୍ତି ଯେ ଭାରତକୁ ଏକ ହିନ୍ଦୁରାଷ୍ଟ୍ର ରୂପେ ଚିତ୍ରିତ କରିବା ପାଇଁ ଏତେ ପଇସା ଖର୍ଚ୍ଚ କରି ରାମ ମନ୍ଦିର ନିର୍ମାଣ କରାଗଲା, ଯାହା ମାହାତ୍ମା ଗାନ୍ଧି, ରବିନ୍ଦ୍ରନାଥ ଠାକୁର, ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶରେ ହେବା ଉଚିତ ନଥିଲା। ଏହା ଭାରତର ବାସ୍ତବିକ ପରିଚୟକୁ ଅଣଦେଖା କରିବାର ଏକ ପ୍ରୟାସ ଭାବେ ଦେଖାଯାଉଛି, ଏହାକୁ ବଦଳାଇବା ଦରକାର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.