ମୋହନା ୨୬।୦୯: ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ସ୍ଥିତ ଶ୍ରୀ ହରି ଜୁଏଲର୍ସରୁ ଲୁଟ୍ । ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଛନ୍ତି ଲୁଟେରା । ତେବେ ଲୁଟ୍ ହୋଇଥିବା ସାମଗ୍ରୀ ମଧ୍ୟରେ ଏକ କେଜି ସୁନା, ୫ କିଲୋ ରୂପା ଏବଂ ନଗଦ ୭୦ ହଜାର ଟଙ୍କା ରହିଥିବାର ସୂଚନା ମିଳିଛି । ଅଭିଯୋଗ ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବୁଧବାର ରାତି ୯ଟା ସମୟରେ ଦୋକାନ ମାଲିକ ବି ମୋହନ ରାଓ ଆଚାରୀ ଦୋକାନା ବନ୍ଦ କରି ଯାଉଥିଲେ । ଏହି ସମୟରେ ତାଙ୍କ ନିକଟରେ ଏକ ବ୍ୟାଗ୍ ଥିଲା । ଯେଉଁଥିରେ ଦୋକାନର ସମସ୍ତ ସୁନା-ରୂପା ଏବଂ ନଗଦ ଟଙ୍କା ରହିଥିଲା । ଦୋକାନ ଆଗରେ ବ୍ୟାଗ୍ଟି ରଖିଥିଲେ । ଏହି ସମୟରେ ହଠାତ୍ ଦୁଇ ଜଣ ଲୁଟେରା ବାଇକ୍ରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗ୍ଟିକୁ ନେଇ ଚମ୍ପଟ ମାରିଛନ୍ତି । ଦୋକାନ ମାଲିକ ଲୁଟ୍ ନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏପିରିକି ଦୋକାନ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।