ଉଦଳା ୧୪।୧୦ : ସିସିଟିଭିରେ ଶାଢ଼ି ଢାଙ୍କି ଲୁଟ୍। ଘରୁ କଳାକନା ବୁଲାଇଦେଲେ ଲୁଟେରା। ମୟୂଭଞ୍ଜ ଜିଲ୍ଲା ଉଦଳା ଏନଏସି ୪ ନମ୍ବର ୱାର୍ଡରେ ଏଭଳି ଲୁଟ୍ ଘଟଣା ଘଟିଛି । ଜଣେ ଶିକ୍ଷକଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି। ମୁଖ୍ୟ କବାଟ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରୁଛନ୍ତି ଲୁଟେରା। ଚେୟାର ଉପରେ ରଖାଯାଇଥିବା ଏକ ଶାଢିକୁ ବାଡିରେ ଟାଣି ଆଣୁଛି ଜଣେ ଲୁଟେରା। ସେହି ଶାଢିକୁ ମୁଣ୍ଡରେ ଢାଙ୍କି ଭିତରକୁ ପ୍ରବେଶ କରୁଛି। ଏହାପରେ ଶାଢିଟିକୁ ସିସିଟିଭିରେ ଢାଙ୍କି ଦେଉଛି ଲୁଟେରା। ଇଏ ହେଉଛି ସିସିଟିଭିରେ ଶାଢି ଢଙ୍କା ଯାଇଥିବାର ଦୃଶ୍ୟ। ଉଦେଶ୍ୟ, ଯେମିତି ସିସିଟିଭିରେ ତା ଚେହେରା ଜଣାନପଡୁ। ତେବେ ସିସିଟିଭିରେ ଶାଢି ଢାଙ୍କି ଦେବା ପରେ କେଉଁଠି କ'ଣ ରହିଛି ତାହାର ରେକି କରୁଛି ଜଣେ ଲୁଟେରା।ଶେଷରେ ସୁନା, ଗହଣା, ଟଙ୍କା ପଇସା ସବୁ କିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଖଟ ଉପରେ ପଡିଛି ଖାଲି ପର୍ସ, ସୁନା ଗହଣ ରହିଥିବା ଖାଲି ଖୋଳ।
ଉଦଳା ଏନଏସି ୪ ନମ୍ବର ୱାର୍ଡରେ ରହୁଥିବା ଶିକ୍ଷକ ଦୈତାରୀ ବିନ୍ଧାଣୀ ମେଡିକାଲ କାମରେ ବାଲେଶ୍ୱର ଯାଇଥିବା ବେଳେ ଲୁଟେରା ତାଙ୍କ ଘରେ ଏମିତି କାଣ୍ଡ ଘଟାଇଛନ୍ତି । ସୋମବାର ସକାଳେ ଘରେ ପହଞ୍ଚି ଥିବା ବେଳେ ଘରୁ ଲୁଟ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଲୁଟେରା ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି। ଦୁର୍ବୃତ୍ତମାନେ ସିସିଟିଭି ନଜରରୁ ବଞ୍ଚିବା ପାଇଁ ଘର ଭିତରେ ଥିବା ସିସିଟିଭିରେ ଶାଢ଼ି ପକାଇ ଲୁଟ କରିଛନ୍ତି। ଏହା ସହିତ ଘର ବାହାରେ ଥିବା ଗୋଟିଏ ସିସିଟିଭି ଭାଙ୍ଗିବା ସହିତ ଦୁଇ ଗୋଟି ସିସିଟିଭି ବୁଲାଇ ଦେଇଛନ୍ତି। ଏନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଉଦଳା ପୋଲିସ ଘଟଣାର ତଦନ୍ତ ଚଳାଇଛି।