ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

Published By : Prameya-News7 Bureau | October 10, 2024 IST

କରଞ୍ଜିଆ ୧୦।୧୦ : ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କିଛି ମାସର ବ୍ୟବଧାନ ପରେ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ । ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ, ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। 

ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତା ଦେଇଯାଇପାରିବେ ପର୍ଯ୍ୟଟକ। ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତିଦିନ ୩୫ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିପାରିବେ। ସକାଳ ୬ଟାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜରେ ରାତିରହଣୀ ପାଇଁ ପର୍ଯ୍ୟଟକମାନେ ପୂର୍ବରୁ www.odishaecoturisim.comରେ ଲଗ୍‌ ଅନ୍‌ କରି ଅଲ୍‌ଲାଇନ୍‌ ବୁକିଂ ମାଧ୍ୟମରେ ରାତିରହଣୀ ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ। ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.