ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଦିନ ଧାର୍ଯ୍ୟ

Published By : Prameya-News7 Bureau | March 12, 2025 IST

ବ୍ରହ୍ମପୁର:  ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏପ୍ରିଲ ୩ରେ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ଏହି ଦିନ  ମାଆ ଆସିବେ ବାପା ଘରକୁ ଏବଂ ଯାତ୍ରା ଆରମ୍ଭ ହେବ। ଏପ୍ରିଲ  ୨୮ ତାରିଖରେ ମାଆ ଶାଶୁ ଘରକୁ ଫେରିବେ। ୨୬ ଦିନ ଯାତ୍ରା ଅନୁଷ୍ଠିତ ହେବ। ସାଧାରଣ ବୈଠକରେ ଶୁଭ ସମୟ ନିର୍ଦ୍ଧାରଣ ହୋଇଛି।

ପାରମ୍ପରିକ ଦ୍ବିବାର୍ଷିକ ବ୍ରହ୍ମପୁରର ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ବାଜିଲା ଢେଣ୍ଡୁରା। ସହରବାସୀଙ୍କୁ କରିଲେ ଅବଗତ। ନିର୍ଦ୍ଧିଷ୍ଟ ପରିବାର ସୀମାଦ୍ରୀ ଘଡେଇଙ୍କ ପରିବାରର କୈଳାସ ଘଡେଇ ସହରବାସୀଙ୍କୁ କରାଇଲେ ଅବଗତ। ଯାତ୍ରା ଆୟୋଜକ ଦେଶୀ ବେହେରାଙ୍କ ନିର୍ଦ୍ଦେଶ ପରେ ଢ଼େଣ୍ଡୁରା ବଜାଇ ଆଜି ରାତିରେ ଦେଶିବେହେରାଙ୍କ ଘର ସମ୍ମୁଖରେ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। 

ଏହା ପୂର୍ବରୁ ଆଜି ସକାଳୁ ବାପା ଦେଶୀ ବେହେରା ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଏହା ପରେ ଦେଶୀ ବେହେରାଙ୍କ ଘର ସମ୍ମୁଖରୁ ନିର୍ଦ୍ଧିଷ୍ଟ ପରିବାର ଢ଼େଣ୍ଡୁରା ବଜାଇ କାର୍ଯ୍ୟକ୍ରମ ଆରମ୍ଭ କରି ସହରବାସୀଙ୍କୁ କରାଇଥିଲେ ଅବଗତ। କେଉଁ ଆବାହନ କାଳରୁ ପରମ୍ପରା ଅନୁସାରେ ଘଡେଇ ପରିବାର ଶୁଭଖୁଣ୍ଟି ସ୍ଥାପନ ପୂର୍ବରୁ ଢ଼େଣ୍ଡୁରା ବଜାଇ ସହରବାସୀଙ୍କୁ ଅବଗତ କରାଉଥିବା କହିଛନ୍ତି କୈଳାସ ଘଡେଇ। 

ଆଜି ରାତିରେ ସହରବାସୀଙ୍କ ସହ ବୈଠକ ପରେ ଏକ ଶୋଭାଯାତ୍ରାରେ ବିରାଟ ପାଟୁଆରରେ ବାହାରି ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରାଯିବ। ପରେ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ଶୁଭଖୁଣ୍ଟି ସ୍ଥାପନ ହେବା ବିଧି ରହିଥିବା କହିଛନ୍ତି ଯାତ୍ରା ଆୟୋଜକ ଦେଶୀ ବେହେରା। 

ମାଆଙ୍କ ଆଗମନ ପାଇଁ ବାପା ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହାକୁ ନେଇ ଅଞ୍ଚଳବାସୀ, ସହରବାସୀଙ୍କ ମଧ୍ୟରେ ଖୁସି, ଆନନ୍ଦ ଦେଖା ଦେଇଛି। ମାଆ ଆସିବେ ବୋଲି ଛାତି କୁଣ୍ଢେମୋଟ ହେଉଛି। ଖୁସିରେ ଆତ୍ମ ବିଭୋର ହୋଇ ପଡିଛନ୍ତି ସହରବାସୀ। ଶୂନଶାନ ମଧ୍ୟରାତ୍ରି ଉତ୍ସବ ମୁଖର ହୋଇ ପଡିବ। ଏଥିପାଇଁ ସହରବାସୀ ଖୁସି ଜାହିର କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.