ମହାକୁମ୍ଭ ଭରିଦେଲା UP ଟ୍ରେଜରୀ, ଜାଣନ୍ତୁ କେତେ ହୋଇଥିଲା ଖର୍ଚ୍ଚ, କେତେ ହୋଇଛି ଆୟ?

Published By : Prameya-News7 Bureau | February 14, 2025 IST

ଲକ୍ଷ୍ନୌ ୧୪।୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରୟାଗରାଜ ସଙ୍ଗମ କୂଳରେ ଗତ ଏକମାସ ହେଲା ଚାଲିଥିବା ମହାକୁମ୍ଭ ଆଉ କିଛି ଦିନ ପରେ ସରିଯିବ। ତେବେ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ଆୟୋଜନ ଉତ୍ତରପ୍ରଦେଶ ଅର୍ଥନୀତି ଲାଗି ଏକ ବୁଷ୍ଟର ଭଳି କାମ କରିଛି।  ମହାକୁମ୍ଭ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କୁମ୍ଭ ଆୟୋଜନରେ ୧୫୦୦ କୋଟି ଟଙ୍କା ବ୍ୟୟ ହୋଇଛି ଓ ଏଥିରୁ ୩ଲକ୍ଷ କୋଟି ଟଙ୍କା ଆୟ ହୋଇଛି।

ସୂଚନା ଅନୁସାରେ ମହାକୁମ୍ଭ-୨୦୨୫ରେ ପବିତ୍ର ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ପାର ହୋଇଯାଇଛି। ଚୀନ୍‌ ପରେ ଭାରତ ବିଶ୍ୱର ପ୍ରଥମ ବଡ଼ ଜନସଂଖ୍ୟାର ଦେଶ। ଶୁକ୍ରବାର ଲକ୍ଷ୍ନୌରେ ଫ୍ଲାଇଓଭର ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ଯେ  ‘ପ୍ରୟାଗରାଜ ମହାକୁମ୍ଭରେ ମାତ୍ର ମାସକରେ ୫୦ କୋଟି ଲୋକ ବୁଡ଼ ପକାଇଛନ୍ତି। ମହାକୁମ୍ଭରୁ ୫୦ କୋଟି ଲୋକ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବାର୍ତ୍ତା ନେଇ ନିଜନିଜ ଘରକୁ ଫରିଛନ୍ତି। ୫୦-୫୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁ ୟୁପି ଅର୍ଥ ବ୍ୟବସ୍ଥାକୁ ୩ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି’। 

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଭୂ-ପୃଷ୍ଠ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ଯେ ମହାକୁମ୍ଭ କାଳରେ କେବଳ ପ୍ରୟାଗରାଜ ୩ଲକ୍ଷ କୋଟି ଟଙ୍କାର ଜିଡିପି ବୃଦ୍ଧିରେ ସହାୟକ ହୋଇଛି। ସେ କହିଛନ୍ତି ଯେ ପର୍ଯ୍ୟଟନ ଏକ ଏଭଳି କ୍ଷେତ୍ର ଯେଉଁଠି ୪୯ ପ୍ରତିଶତ ପୁଞ୍ଜି ନିବେଶ କେବଳ ରୋଜଗାର ସୃଜନ ପାଇଁ ହୋଇଥାଏ। ଟ୍ୟାକ୍ସି ଚାଳକ, ରେକ୍ସା ଚାଳକ ଓ ଅନ୍ୟ ଲୋକଙ୍କ ନିମନ୍ତେ ରୋଜଗାରର ଅନେକ ଅବସର ସୃଷ୍ଟି ହୋଇଛି। ସେ କହିଛନ୍ତି ଯେ ଆମ ଦେଶର ଆର୍ଥିକ ବୃଦ୍ଧି ସିଧା ଶଳଖ ଭିତ୍ତିଭୂମି ସହିତ ସମ୍ପର୍କିତ। ଯାହାର ଲାଭ ଏବେ ମହାକୁମ୍ଭରୁ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.