ପ୍ରୟାଗରାଜ: ମହାକୁମ୍ଭରେ ତୃତୀୟ ଅମୃତସ୍ନାନ । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି ସାଧୁସନ୍ଥ ଓ ଶ୍ରଦ୍ଧାଳୁ । ବସନ୍ତ ପଞ୍ଚମୀ ଅବସରରେ ଆଜି ଭୋର ୫ଟାରୁ ତୀର୍ଥରାଜ ପ୍ରୟାଗରେ ପ୍ରଥମେ ନାଗା ସାଧୁମାନେ ଶ୍ରଦ୍ଧାର ବୁଡ଼ ପକାଇଥିଲେ । ପରେ ମହାନିର୍ବାଣୀ ଆଖଡ଼ା ଏବଂ ନିରଞ୍ଜନୀ ଆଖଡ଼ାର ସନ୍ଥମାନେ ବୁଡ଼ ପକାଇଥିଲେ । ଏବେ ଶାନ୍ତିଶୃଙ୍ଖଳାର ସହିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମୃତସ୍ନାନ ଜାରି ରଖିଛନ୍ତି ।
ମେଳା ଅଧିକାରୀ କିରଣ ଆନନ୍ଦଙ୍କ ଅନୁଯାୟୀ, ମହାକୁମ୍ଭ ପ୍ରୟାଗରାଜର ବସନ୍ତ ପଞ୍ଚମୀରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଅମୃତ ବୁଡ଼ ପକାଉଛନ୍ତି । ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ବିଭିନ୍ନ ଆଖଡ଼ାର ସନ୍ଥମାନେ ଶିବିରରୁ ବାହାରିଥିଲେ । ଭୋର ପ୍ରାୟ ୫ ସମୟରେ ତୀର୍ଥରାଜ ପ୍ରୟାଗରେ ପ୍ରଥମେ ନାଗା ସାଧୁମାନେ ଅମୃତସ୍ନାନ ପକାଇଥିଲେ । ପରେ ମହାନିର୍ବାଣୀ ଆଖଡ଼ାର ସାଧୁସନ୍ଥ ମାନେ ଅମୃତବୁଡ଼ ପକାଇତିଲେ । ଏହାପରେ ଶ୍ରୀ ତପୋନିଧି ପଞ୍ଚାୟତି ଶ୍ରୀ ନିରଞ୍ଜନୀ ଆଖଡ଼ା ଏବଂ ଶ୍ରୀ ଆନନ୍ଦ ଆଖଡ଼ାର ସାଧୁମାନେ ବୁଡ଼ ପକାଇ ସାଢ଼େ ୬ଟାରେ ସଙ୍ଗମ ଘାଟରୁ ପ୍ରସ୍ଥାନ କରିଥିଲେ ।
ସେହିପରି ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା, ଶ୍ରୀ ପଞ୍ଚ ଦଶନାମ ଆବାହନ ଆଖଡ଼ା ଏବଂ ଶ୍ରୀ ପଞ୍ଚଗ୍ରୀ ଆଖଡ଼ାର ସାଧୁମାନେ ଭୋର ୫.୪୫ ମିନିଟରେ ଶିବିରରୁ ବାହାରି ୬.୪୫ ମିନିଟରେ ଘାଟରେ ପହଞ୍ଚିଥିଲେ । ଅମୃତସ୍ନାନ ପରେ ସେଠାରୁ ୭.୨୫ ମିନିଟରେ ପ୍ରସ୍ଥାନ କରି ସାଢ଼େ ୮ଟା ଶିବିରରେ ପହଞ୍ଚିଥିଲେ। ଏହା ପରେ ଅନ୍ୟ ସବୁ ଆଖଡ଼ାର ସାଧୁସନ୍ଥମାନେ ଅମୃତସ୍ନାନ କରିଥିଲେ । ପରେ ପ୍ରୟାଗରାଜରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରଦ୍ଧାର ବୁଡ଼ ପକାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବସନ୍ତ ପଞ୍ଚମୀ ଅବସରରେ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଥିବା ସୂଚନା ରହିଛି ।
ସେପଟେ ମୌନି ଅମାବାସ୍ୟାର ହୋଇଥିବା ଅଘଟଣ ଯେପରି ଆଉ ରିପିଟ୍ ନହେବ, ସେନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରୟାଗରାଜକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି । ଭିଭିଆଇପି ପାସ୍କୁ ହଟାଇ ଦିଆଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।