ବାଜିଲା ନିର୍ବାଚନୀ ବିଗୁଲ; ନଭେମ୍ୱର ୨୦ ମହାରାଷ୍ଟ୍ର ମତଦାନ, ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ୍, ୨୩ରେ ରେଜଲ୍ଟ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ହରିୟାଣା ଏବଂ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ଦେଶର ଆଉ ଦୁଇ ରାଜ୍ୟ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ପାଇଁ ନିର୍ବାଚନୀ ବିଗୁଲ୍ ବାଜିଛି । ମଙ୍ଗଳବାର ଭାରତୀୟ ନିର୍ବାଚନ ଆୟୋଗ ଦୁଇ ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ୱର ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ୱର୨୩ରେ ରେଜଲ୍ଟ ଘୋଷଣା କରାଯିବ । ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ଥିବା ବେଳେ ଏଠାରେ ବହୁମତ ସଂଖ୍ୟା ୧୪୫ । ମହାରାଷ୍ଟ୍ରରେ ମୋଟ ୧ ଲକ୍ଷ ୧୮୬ ପୋଲିଂ ବୁଥ୍ କରାଯିବ । ମୋଟ ୯.୬୩ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । 

ସେହିପରି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ନଭେମ୍ୱର ୧୩ ହେବ । ସେହିପରି ନଭେମ୍ୱର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ନଭେମ୍ୱର ୨୩ରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡ ରେଜଲ୍ଟ ଘୋଷଣା କରାଯିବ । ନିର୍ବାଚନ ଆୟୋଗ କହିଛନ୍ତି ଯେ ଝାଡ଼ଖଣ୍ଡରେ ନକ୍ସଲବାଦ ସହ ଅନ୍ୟ ସମସ୍ୟା ଯୋଗୁଁ ଦୁଇଟି ପର୍ଯ୍ୟାୟରେ ମତଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଝାଡ଼ଖଣ୍ଡ ବିଧାନସଭାରେ ୮୧ ଆସନ ଥିବା ବେଳେ ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି ୪୨ । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି ଯେ ଝାଡ଼ଖଣ୍ଡରେ ମୋଟ ୨.୬ କୋଟି ମତଦାତା ଅଛନ୍ତି । ଏଥିରୁ ମହିଳାଙ୍କ ସଂଖ୍ୟା ୧.୬ କୋଟି ଥିବା ବେଳେ ପୁରୁଷ ମତଦାତାଙ୍କ ସଂଖ୍ୟା ୧.୩ କୋଟି ରହିଛି । ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ରହିଛି । 

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୦୨୪ ନଭେମ୍ୱର ୨୬ରେ ଶେଷ ହେବାକୁ ଯାଉଛି । ସେହିପରି ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୫ରେ ଶେଷ ହେବ ।  ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା ବେଳେ ହରିୟାଣା ଏବଂ ଜାମ୍ମୁ କାଶ୍ମୀର ମତଦାତାଙ୍କୁ ନିର୍ବାଚନରେ ସଶକ୍ତ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଜନତା ଗଣତନ୍ତ୍ରର ଉତ୍ସବକୁ ଐତିହାସିକ କରିଛନ୍ତି ।

ଏହାସହ ନିର୍ବାଚନ ଆୟୋଗ ୪୮ଟି ବିଧାନସଭା ଏବଂ ଦୁଇଟି ଲୋକସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି । ୪୭ଟି ବିଧାନସଭା ଏବଂ କେରୱ ୱାୟନାଡ ଲୋକସଭା ପାଇଁ ନଭେମ୍ୱର ୧୩ରେ ଭୋଟ ଗ୍ରହଣ ହେବ । ସେହିପରି ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ଗୋଟିଏ ଲୋକସଭା ଆସନ ପାଇଁ ନଭେମ୍ୱର ୨୦ରେ ମତଦାନ ହେବ । ନଭେମ୍ୱର ୨୩ରେ ଫଳାଫଳ ଘୋଷଣା କରାଯିବ । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.