ଲଭ୍ ଜିହାଦ ଓ ଧର୍ମାନ୍ତରଣ ଉପରେ ଲାଗିବ ରୋକ୍; ନୂଆ ଆଇନ ଆଣିବେ ମହାରାଷ୍ଟ୍ର ସରକାର

Published By : Prameya-News7 Bureau | February 16, 2025 IST

ମୁମ୍ବାଇ,୧୬/୨: ମହାରାଷ୍ଟ୍ରର ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ । ରାଜ୍ୟରେ ଲଭ୍‌ ଜିହାଦ୍‌ ଓ ଜବରଦସ୍ତ ଧର୍ମାନ୍ତରଣ ଭଳି ମାମଲାକୁ ରୋକିବା ପାଇଁ ଆଇନ ଆଣିବେ ସରକାର । ଏଥିଲାଗି ୭ ସଦସ୍ୟବିଶିଷ୍ଟ କମିଟି ଗଠନ କରାଯାଇଛି । ମହାରାଷ୍ଟ୍ରର ପୋଲିସ ମହାନିର୍ଦ୍ଦେଶକ  ସଞ୍ଜୟ ବର୍ମା ଏହି କମିଟିର ଅଧ୍ୟକ୍ଷ  ରହିଛନ୍ତି । ଏଥିରେ ମହିଳା ଓ ଶିଶୁ ବିକାଶ, ସଂଖ୍ୟାଲଘୁ, ଆଇନ, ସାମାଜିକ ନ୍ୟାୟ, ଗୃହ ଭଳି  ପ୍ରମୁଖ ବିଭାଗର ବରିଷ୍ଠ ପଦାଧିକାରୀମାନେ ସଦସ୍ୟ  ରହିଛନ୍ତି । ଧର୍ମାନ୍ତରଣ ଓ ଲଭ୍‌ ଜିହାଦ୍‌ ମାମଲାରେ ହେଉଥିବା ଅଭିଯୋଗଗୁଡ଼ିକର କିଭଳି ମୁକାବିଲା କରାଯିବ, ତାହା ନେଇ ଏହା ପରାମର୍ଶ ଦେବ ।  

ଏହାଛଡ଼ା କମିଟି ଅନ୍ୟ ରାଜ୍ୟଗୁଡ଼ିକରେ ଲାଗୁ ହୋଇଥିବା ଆଇନର ବି ଅଧ୍ୟୟନ କରିବ ଏବଂ  ଏହି ଆଧାରରେ ନ୍ୟାୟିକ ପରାମର୍ଶ ପ୍ରଦାନ କରିବ ।   ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ପୁନାୱାଲା ୨୦୨୨ରେ ଦିଲ୍ଲୀରେ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ଏଣେ ତେଣେ ଫିଙ୍ଗିଥିଲା । ଏହାପରେ ବିଜେପି ଏହି ମାମଲାରେ ଲଭ୍‌ ଜିହାଦ୍‌ ପ୍ରସଙ୍ଗ ଉଠାଇଥିଲା । ମହାରାଷ୍ଟ୍ରର ବିରୋଧୀ ଦଳ ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି,   ବିବାହ କିମ୍ବା ପ୍ରେମ ହେଉଛି ବ୍ୟକ୍ତିଗତ ନିଷ୍ପତ୍ତି ।   ତେଣୁ ସରକାର ମୁଖ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ । ମୋଦିଜୀ ଏବେ ଆମେରିକାରୁ  ଫେରିଛନ୍ତି । ଆମେରିକା ଆମ ଉପରେ ନୂଆ ଟାରିଫ୍‌  ଲଗାଇଛି । ଏହାର ପ୍ରଭାବ ଆମ ଦେଶ ଉପରେ  ପଡ଼ିବ । ତେଣୁ ଏହି ମାମଲା ଉପରେ ଗୁରୁତ୍ୱ  ଦିଆଯିବା ଆବଶ୍ୟକ । 

ମହାରାଷ୍ଟ୍ର ସପା ବିଧାୟକ ଅବୁ ଆଜ୍‌ମି କହିଛନ୍ତି, ମୁସ୍‌ଲିମ୍‌ ଯୁବକମାନେ ହିନ୍ଦୁ ଧର୍ମ ଆପଣାଉଛନ୍ତି ଏବଂ ମୁସ୍‌ଲିମ୍‌ ଯୁବତୀ  ହିନ୍ଦୁ ଯୁବକଙ୍କୁ ବିବାହ କରୁଛନ୍ତି । ଯଦି ସମ୍ବିଧାନରେ ଦିଆଯାଇଥିବା ଅଧିକାର ଅନୁସାରେ ଏହା ହେଉଛି,   ତେବେ ଏଥିରେ ଭୁଲ କେଉଁଠି ରହିଲା?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.