ରେକର୍ଡ କଲେ ମହିନ୍ଦ୍ରା BE 6 ଓ XEV 9e ଇଭି ଏସୟୁଭି: ପ୍ରଥମ ଦିନରେ ୩୦ ହଜାରୁ ଅଧିକ ବୁକିଂ

Published By : Prameya-News7 Bureau | February 14, 2025 IST

indiatoday

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେଲା ମହିନ୍ଦ୍ରା ଏସ୍‌ୟୁଭିଗୁଡ଼ିକର ଡିମାଣ୍ଡ ଜୋରଦାର ରହିଛି। ପ୍ରଥମ ଦିନରେ ହିଁ ଗାଡ଼ିଗୁ଼ଡ଼ିକର ରେକର୍ଡ ବୁକିଂ ହେଉଛି। ମହିନ୍ଦ୍ରା ସ୍କର୍ପିଓ ଏନ୍‌(Mahindra Scorpio-N) ହେଉ କିମ୍ବା ମହିନ୍ଦ୍ରା ଏକ୍ସୟୁବି ଥ୍ରି ଏକ୍ସଓ(Mahindra XUV 3XO) କିମ୍ବା ମହିନ୍ଦ୍ର ଥାର୍ ରକ୍ସ(Mahindra Thar Roxx) ଏସବୁ ଗାଡ଼ିଗୁଡ଼ିକର ପ୍ରଥମ ଦିନ ବୁକିଂ ଜବରଦସ୍ତ ରହିଥିଲା। ଆଉ ଏବେ କମ୍ପାନୀର ନୂଆ ଇଲେକ୍ଟ୍ରିକ୍ ଯାନ ମହିନ୍ଦ୍ରା BE 6 ଏବଂ ମହିନ୍ଦ୍ରା XEV 9e ଜବରଦସ୍ତ ଡିମାଣ୍ଡ ଦେଖିବାକୁ ମିଳିଛି।

କମ୍ପାନୀର ସୂଚନା ଅନୁସାରେ ମହିନ୍ଦ୍ରା BE 6 ଓ XEV 9e ପାଇଁ ଶୁକ୍ରବାର(୨୦୨୫ ଫେବ୍ରୁଆରୀ ୧୪) ସକାଳ ୯ଟାରୁ ବୁକିଂ ଆରମ୍ଭ ହୋଇଛି। ବୁକିଂ ଆରମ୍ଭ ହେଉଣୁ ଏହି ଦୁଇ ଇଭି ପାଇଁ ଗ୍ରାହକଙ୍କର ଯେମିତି ଭିଡ଼ ଲାଗିଛି। କମ୍ପାନୀର ସୂଚନା ଅନୁସାରେ, ଏଇ ଦୁଇ ଇଭି ପାଇଁ ପ୍ରଥମ ଦିନରେ ୩୦,୧୭୯ଟି ବୁକିଂ କରାଯାଇଛି। ଯାହାର ମିଳିତ ଏକ୍ସ ଶୋ ରୁମ ପ୍ରାୟ ୮,୪୭୨ କୋଟି ଟଙ୍କା ହେବ। 

BE 6 ପାଇଁ ୪୪ ପ୍ରତିଶତ  ବୁକିଂ ହୋଇଥିବା ବେଳେ XEV 9e ପାଇଁ ୫୬% ବୁକିଂ ହୋଇଥିଲା। ମୋଟ ବୁକିଂର ୭୩ ପ୍ରତିଶତ କେବଳ ଟପ୍ ଭ୍ୟାରିଏଣ୍ଟ ପାଇଁ କରାଯାଇଛି। ଏହା ପୂର୍ବରୁ ମହିନ୍ଦ୍ରା ଅନ୍ୟ ଏସୟୁଭି ଗୁଡ଼ିକ ପ୍ରଥମ ଦିନରେ ଭଲ ବୁକିଂ କରିଥିଲେ। ୨୦୨୨ରେ Scorpio-N ପାଇଁ ୩୦ ମିନିଟରେ ୧,୦୦,୦୦୦ ରୁ ଅଧିକ ବୁକିଂ ହୋଇଥିଲା। ସେହିପରି  ୨୦୨୪ ଆରମ୍ଭରେ XUV 3XO ପାଇଁ ୬୦ ମିନିଟରେ ୫୦,୦୦୦ ରୁ ଅଧିକ ବୁକିଂ କରାଯାଇଥିଲା। ସେହିପରି ଗତବର୍ଷ ଥାର ରକ୍ସ ପାଇଁ ୬୦ ମିନିଟରେ ୧,୭୬,୨୧୮ ବୁକିଂ ସହିତ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା।

ପୂର୍ବ ଏସୟୁଭି ଗୁଡ଼ିକ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ହୋଇଥିବା ବେଳେ ପ୍ରଥମ ଥର ଇଭି ଏସୟୁଭି ପାଇଁ ଏତେ ମାତ୍ରାରେ ବୁକ୍ ହେବା କମ୍ପାନୀ ପାଇଁ ଏକ ଶୁଭ ସଂକେତ। କାରଣ ଯଦି ଦେଖିବା ବର୍ତ୍ତମାନ ଭାରତରେ ଇଲେକ୍ଟ୍ରିକ୍ କାର୍ ସେଗମେଣ୍ଟର ଚାହିଦା ମନ୍ଥର ଗତିରେ ବଢ଼ୁଛି। ଶିଳ୍ପ ସଂଗଠନ ଫେଡେରେସନ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (FADA) ର ତଥ୍ୟ ଅନୁଯାୟୀ, ୨୦୨୪ରେ ଭାରତରେ ଇଲେକ୍ଟ୍ରିକ୍ କାର୍ ବିକ୍ରୟ ୯୯,୧୬୫ ୟୁନିଟ୍ ରହିଥିଲା। ୨୦୨୪ରେ ମୋଟ କାର୍ ବିକ୍ରିରେ ଇଭିର ଯୋଗଦାନ ମାତ୍ର ୨.୪% ଥିଲା। ଏଭଳି ସ୍ଥିତିରେ BE 6 ଏବଂ XEV 9e ପାଇଁ ପ୍ରଥମ ଦିନର ବୁକିଂ ସଂଖ୍ୟା କିଛି କମ୍ ନୁହେଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.