ବରଗଡ଼: ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା। ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ। ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜେଶ ଡନସେନାକୁ ଟିଟଲାଗଡ଼ ରେଲୱେ ଷ୍ଟେସନରୁ ଗିରଫ କଲା ବରଗଡ଼ ପୋଲିସ। ଏହା ପୂର୍ବରୁ ପୋଲିସ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବିଜେପୁର ବ୍ଲକ ପୁଟୁକାର ସର୍ଜନ ଡନସେନା, ପ୍ରହଲ୍ଲାଦ ଦାଶ ଏବଂ ଜଗଦଲପୁର ଥାନା ଅନ୍ତର୍ଗତ ଧୂମାଭଟାର ଜୟକୃଷ୍ଣ ଡନସେନା ।
ସୂଚନାଥାଉକି, ଜାନୁଆରୀ ୧୨ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାକୁ ଏତେ ଦିନ ବିତିଯାଇଥିଲେବି ଏପର୍ଯ୍ୟନ୍ତ ସବୁ ଅଭିଯୁକ୍ତମାନଙ୍କୁ ପୋଲିସ ଧରିପାରିନଥିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ପାଳନକୁ ବିଜେଡି, ବ୍ୟବସାୟୀ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ ସମେତ ୩୦ ରାଜନୈତିକ ଓ ଅଣରାଜନୈତିକ ସଙ୍ଗଠନ ଦେଇଥିଲେ।
ସେପଟେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍ସାର)ରେ ପୀଡ଼ିତାଙ୍କ ଚିକିତ୍ସା ଚାଲଥିବାବେଳେ ସୋମବାର ଆସିଥିବା ଯୁବତୀଙ୍କ ମେଡିକାଲ ରିପୋର୍ଟରୁ, ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ତାଙ୍କର ସମସ୍ତ ରୁଟିନ୍ ଟେଷ୍ଟ ଓ ସିଟିସ୍କାନ୍ କରାଯାଇଛି। ନ୍ୟୁରୋ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଜେନେରାଲ ସର୍ଜରି, ଗାଇନାକୋଲୋଜି ଆଦି ବିଭାଗର ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ସେ ସ୍ବାଭାବିକ ଭାବରେ କଥାବାର୍ତ୍ତା କରୁଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ମୁଣ୍ଡରେ ହୋଇଥିବା କ୍ଷତ ସ୍ଥାନର ସିଲେଇ ଖୋଲିବା ପରେ ଡିସ୍ଚାର୍ଜ କରାଯାଇପାରିବ। ମହିଳା ଡାକ୍ତରଙ୍କ ସହ ‘ସଖି-ୱାନ୍ଷ୍ଟପ୍ ସେଣ୍ଟର’ ପକ୍ଷରୁ କାଉନ୍ସେଲିଂ କରାଯାଉଛି ବୋଲି ଭିମ୍ସାର ଅଧୀକ୍ଷକ ଡାକ.ନାୟକ ସୂଚନା ଦେଇଛନ୍ତି।