ମାଲକାନଗିରି ୨୨/୧୧: ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ଲାଲ୍ ବାହିନୀ । ମାଲକାନଗିରି ତେଲେଙ୍ଗାନା ସିମାନ୍ତ ମୁଲୁଗୁ ଜିଲ୍ଲାରେ ଦେଖିବାକୁ ମିଳିଛି ନକ୍ସଲଙ୍କ ଏପରି ବର୍ବର ହିଂସାକାଣ୍ଡ ।
ଗୁରୁବାର ରାତିରେ ୩୦ରୁ ୪୦ଜଣ ସଶସ୍ତ୍ର ନକ୍ସଲ ମୁଲୁଗୁ ଜିଲ୍ଲାର ଓ୍ୱାଜେଡୁ ବ୍ଲକ ଅନ୍ତର୍ଗତ ପେନୁଗୋଲୁ ଗାଁରେ ପହଞ୍ଚି ଦୁଇ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ମୃତଦେହ ଉପରେ ମାଓବାଦୀ ମାନେ ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ଏହି ଦୁଇ ଜଣ ବ୍ୟକ୍ତି ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିଲେ ସେଥିପାଇଁ ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।
ମୃତ ଦୁଇ ଜଣ ହେଉଛନ୍ତି ପେନୁଗୋଲୁ କଲୋନୀର ପଞ୍ଚାୟତ ସଚିବ ଉଇକା ରମେଶ ଏବଂ ଅର୍ଜୁନ । ନକ୍ସଲ ପନ୍ଥିଙ୍କ ଏହି ହତ୍ୟାକାଣ୍ଡ ପରେ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ପୋଲିସ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।