ନୂଆଦିଲ୍ଲୀ ୬।୪: ଫୁଡ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋର ମୁଖ୍ୟ ଅପରେଟିଂ ଅଫିସର (ସିଓଓ) ରିଂସୁଲ ଚନ୍ଦ୍ରା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ସେୟାର ବଜାରକୁ ଏହାର ସୂଚନା ଦିଆଯାଇଛି। ଏଥିରେ ଚନ୍ଦ୍ରା ନୂଆ ଅବସର ଓ ପେନସନକୁ ଧ୍ୟାନରେ ରଖି ଖଦ୍ୟ ଯୋଗାଣକାରୀ ପ୍ଲାଟଫର୍ମର ସିଓଓ ପଦବୀରୁ ଇସ୍ତଫା ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଜୋମାଟୋର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଦୀପେନ୍ଦର ଗୋୟଲଙ୍କୁ ଚନ୍ଦ୍ରା ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
କମ୍ପାନୀର ଖାଦ୍ୟ ଯୋଗାଣକାରୀ ବ୍ୟବସାୟର ବ୍ରାଣ୍ଡ ନେମ ଜୋମାଟୋ ରହିଛି। କିନ୍ତୁ ନିକଟରେ କମ୍ପାନୀ ନିଜର କର୍ପୋରେଟ ୟୁନିଟର ନାମ ବଦଳାଇ ଇଟରନାଲ ଲିମିଟେଡ କରିଦେଇଛି। ଗତ ସପ୍ତାହରେ ଜୋମାଟୋ ତାଙ୍କର କଷ୍ଟମର ସପୋର୍ଟ ଏକଜ୍ୟୁକୁଟିଭ ଡିପାର୍ଟମେଣ୍ଟରୁ ୬୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଥିଲା। ଏହି କର୍ମଚାରୀଙ୍କୁ ଗତବର୍ଷ ନିଯୁକ୍ତି ଦିଆଯାଇଥିଲା। ଏହି କର୍ମଚାରୀଙ୍କୁ ଜୋମୋଟୋ ଆସୋସିଏଟ ଆକ୍ସିଲେରେଟର ପ୍ରୋଗ୍ରାମ (ଜେଡଏଏପି)ରେ ନିଯୁକ୍ତ କରାଯାଇଥିଲା।
ତେବେ କମ୍ପାନୀ କର୍ମଚାରୀ ଛଟେଇ କାରଣ ସମ୍ପର୍କରେ ଗ୍ରାହକ ସେବାରେ କୁତ୍ରିମ ବୁଦ୍ଧିମତା (ଏଆଇ) ବଢୁଥିବା ପ୍ରୟୋଗ ବୋଲି କହିଛି। ଛଟେଇ ହୋଇଥିବା ଅଧିକାଂଶ କର୍ମଚାରୀ ଗୁରୁଗ୍ରାମ ଓ ହାଇଦ୍ରାବାଦ ଅଫିସରେ କାମ କରୁଥିଲେ। ରିପୋର୍ଟ ଅନୁସାରେ ଜୋମାଟୋ ଜେଡଏଏପି କାର୍ଯ୍ୟକ୍ରମରେ ୧,୫୦୦ ଲୋକଙ୍କୁ ନିଯୁକ୍ତ କରିଥିଲା। ନିଯୁକ୍ତିବେଳେ କର୍ମଚାରୀଙ୍କୁ ଆକର୍ଶଣୀୟ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ନିଯୁକ୍ତି ରାଜିନାମା ସମାପ୍ତ ହେବା ପରେ ସେମାନଙ୍କ ସହିତ ଏଗ୍ରିମେଣ୍ଟ ରିନ୍ୟୁଆଲ କରାଯାଇ ନଥିଲା।