ନୂଆଦିଲ୍ଲୀ: ଆଜିର ସମୟରେ ପ୍ରାୟତଃ ସବୁ କର୍ମଚାରୀ ପ୍ରତିଦିନ ନିଜ ଅଫିସ୍ ଯିବା ପାଇ କିଲୋମିଟର କିଲୋମିଟର ଯାତ୍ରା କରନ୍ତି । କିଛି ଲୋକ ଅଧିକ ଲିଲୋମିଟର ଯାତ୍ରା କରି ଅଫିସ୍ ଆସୁଥିବାରୁ ଅଭିଯୋଗ ମଧ୍ୟ କରନ୍ତି । ଏବେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ କାହାଣୀ ଶୁଣିଲେ ଆପଣଙ୍କ ଅଫିସ୍ ଦୂରତା କମ ବୋଲି ଅନୁଭବ କରିବେ । ଆମେ ଯେଉଁ ମହିଳାଙ୍କ ବିଷୟରେ କହୁଛୁ, ସେ ପ୍ରତିଦିନ ୫୦ କି ୧୦୦ ନୁହେଁ ବରଂ ୩୫୦ କିଲୋମିଟର ଦୂର ଯାତ୍ରା କରନ୍ତି । ରାଚେଲ କୌର ଏୟାରଏସିଆରେ ଅସିଷ୍ଟାଣ୍ଟ ମ୍ୟାନେଜର ଭୂମିକାରେ ଅଛନ୍ତି । ସେ ଦୁଇ ସନ୍ତାନର ଜନନୀ ମଧ୍ୟ । ତାଙ୍କ କହିବା ଅନୁସାରେ ନିଜ ୱାର୍କ ଲାଇଫ୍ ବାଲାନ୍ସ ବଜାୟ ରଖିବା ପାଇଁ ପ୍ରତିଦିନ ଏହି ଯାତ୍ରା କରନ୍ତି ।
ରାଚେଲ୍ କୌର ପ୍ରତିଦିନ ପେନାଙ୍ଗରୁ କୁଆଲାଲମ୍ପପୁର ବିମାନରେ ଯାତ୍ରା କରନ୍ତି । ପ୍ରତିଦିନ ଏତେ ଦୂର ଯାତ୍ରା କରିବା ପାଇଁ ଲୋକେ ତାଙ୍କୁ ସୁପର୍ ମମ୍ ଆଖ୍ୟା ମଧ୍ୟ ଦେଉଛନ୍ତି । ନିଜର ଏହି ନିଷ୍ପତ୍ତି ବାବଦରେ ରାଚେଲ୍ କୌର କୁହନ୍ତି, ସେ ନିଜ ପେଶାଦାର ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଏପରି କରନ୍ତି । ଏହାଦ୍ୱାରା ସେ ନିଜ ପିଲାଙ୍କ ସହ ସମୟ ବିତାଇପାରନ୍ତି । ସେ କହିଛନ୍ତି ଯେ ଏହା ଏକ ଶସ୍ତା ବିକଳ୍ପ ଏବଂ ତାଙ୍କ ଅଫିସ୍ ପାଖରେ ଘର ଭଡ଼ା ନେବାଠାରୁ ବି ଅଧିକ ଶସ୍ତ ।
ରାଚେଲଙ୍କ ସକାଳ ୪ଟାରୁ ନିଜ ଦିନ ଆରମ୍ଭ କରନ୍ତି । ସକାଳ ୫ଟାରେ ସେ ବିମାନ ବନ୍ଦର ଅଭିମୁଖେ ବାହାରନ୍ତି ଏବଂ ୭.୪୫ ଯାଏ ନିଜ ଅଫିସରେ ପହଞ୍ଚିଯାଆନ୍ତି । ଅଫିସ୍ ଶେଷ ହେବା ପରେ ରାତି ପ୍ରାୟ ୮ଟାରେ ଘରକୁ ଫେରନ୍ତି । ସେ କହିଛନ୍ତି ଯେ ଏହି ଯାତ୍ରା ବେଳେ ମେଡିଟେସନ କରନ୍ତି କମ୍ୱା ଗୀତ ଶୁଣନ୍ତି ଏବଂ ଏହି ସମୟକୁ କିପରି ସଠିକ୍ ଭାବେ ବ୍ୟବହାର କରିବେ ସେଥିରେ ଗୁରୁତ୍ୱ ଦିଅନ୍ତି । ରାଚେଲଙ୍କ କହିବା ଅନୁସାରେ ୨୦୨୪ ପୂର୍ବରୁ ସେ ଅଫିସ୍ ନିକଟରେ କୁଆଲାଲମ୍ପୁରରେ ଏକ ଘର ଭଡ଼ାରେ ନେଇଥିଲେ ଏବଂ ସପ୍ତାହରେ କେବଳ ଥରେ ହିଁ ପେନାଙ୍ଗା ଫେରି ପାରୁଥିଲେ । ଯେଉଁଥି ପାଇଁ ତାଙ୍କୁ ଅଧିକ ସମୟ ଘରରୁ ଦୂରେଇ ରହିବାକୁ ପଡ଼ୁଥିଲା ।