ମେଟାସଫ୍ଟ ୨୦୨୪: ସୋଆରେ ୨ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ

Published By : Prameya-News7 Bureau | January 11, 2025 IST

ଭୁବନେଶ୍ୱର: ମେଟାହ୍ୟୁରିଷ୍ଟିକ୍‌ ଆଲଗୋରିଥିମର ବ୍ୟବହାର କରି ଗବେଷଣା କ୍ଷେତ୍ରରେ କମ୍‌ ସମୟ ମଧ୍ୟରେ ସଠିକ୍‌ ଫଳାଫଳ ପାଇବା ସମ୍ଭବ ବୋଲି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । 

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଆୟୋଜିତ ‘ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ ଅନ୍‌ ମେଟାହ୍ୟୁରିଷ୍ଟିକ୍ସ ଇନ୍‌ ଇଞ୍ଜିନିୟରିଂ ଆଣ୍ଡ ଇଟ୍‌ସ ଆପ୍ଲିକେସନ୍ସ’ (ମେଟାସଫ୍ଟ – ୨୦୨୪) ଶନିବାର ଶେଷ ହୋଇଛି । ଆଇଟିଇଆର୍‌ର ଡିପାର୍ଟମେଂଟ ଅଫ୍‌ କମ୍ପ୍ୟୁଟର ଆପ୍ଲିକେସନ୍‌ ପକ୍ଷରୁ ହାଇବ୍ରିଡ ମୋଡରେ ଏହାର ଆୟୋଜନ କରାଯାଇଥିଲା । 

ଏଥିରେ ବିଭିନ୍ନ ଦେଶରୁ ଅନେକ ଜଣ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆଇଆଇଟି ଗୁଆହାଟୀର ପ୍ରଫେସର ଆର୍ଯ୍ୟବର୍ତ ସାହୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ପେରୁମାଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିଲେ । ପ୍ରଫେସର ନନ୍ଦ ସୋଆ ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ପ୍ରାଧାନ୍ୟତା ଦିଆଯାଉଛି ବୋଲି ପ୍ରକାଶ କରି ଏଠାରେ ଅନେକ ସଂଖ୍ୟାରେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଉଛି ବୋଲି କହିଥିଲେ । 

ଏହି ଅବସରରେ ଆଇଟିଇଆର୍‌ର ଡିନ୍‌ ପ୍ରଫେସର ପ୍ରଦୀପ କୁମାର ସାହୁ, କମ୍ପ୍ୟୁଟର ଆପ୍ଲିକେସନ୍‌ ବିଭାଗର ମୁଖ୍ୟ ପ୍ରଫେସର କାବେରୀ ଦାସ, ପ୍ରୋଗ୍ରାମ ଚେୟାର ପ୍ରଫେସର ବିଚିତ୍ରାନନ୍ଦ ପାତ୍ର ଓ ସମ୍ମିଳନୀର ଆବାହକ ପ୍ରଫେସର ଦେବବ୍ରତ ସିଂହ ବକ୍ତବ୍ୟ ରଖିଥିଲେ । 

ଦ୍ୱିତୀୟ ଦିନ ସମ୍ମିଳନୀରେ ଏନ୍‌ଆଇଟି ରାଉରକେଲାର ପ୍ରଫେସର ବିଭୁଦତ୍ତ ସାହୁ, ନାଗାଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଜାତା ଦାଶ ଓ କୋସୋଭୋ ସ୍ଥିତ ରୋଚେଷ୍ଟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିର ପ୍ରଫେସର ଦେବବ୍ରତ ସାମନ୍ତ ବକ୍ତୃତା ଦେଇଥିଲେ । ଏଥିରେ ସୋଆ ଏସ୍‌ଆରଆଇସି ଡିନ୍‌ ପ୍ରଫେସର ପି.କେ. ପାତ୍ର ଅଧ୍ୟକ୍ଷତା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.