ଚେନ୍ନାଇ/ଭୁବନେଶ୍ୱର: ରାଜ୍ୟର ଏକ ଅଗ୍ରଣୀ ଡାଏରୀ କମ୍ପାନି ଭାବରେ ପରିଚିତ ମିଲ୍କ ମନ୍ତ୍ରକୁ ଅଧିଗ୍ରହଣ କଲା ଭାରତର ଅଗ୍ରଣୀ ଡାଏରୀ କମ୍ପାନି ହଟ୍ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ୍ (ଏଚ୍ଏପି)। ସୋମବାର ଅଧିଗ୍ରହଣ ହୋଇଛି। ମିଲ୍କ ମନ୍ତ୍ର ଡେରୀ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ କ୍ଷୀର ସଂଗ୍ରହ ଓ ବିକ୍ରୟରେ ଏହାର ଗୁଣାତ୍ମକ ପ୍ରତିବଦ୍ଧତା ପାଇଁ ପରିଚିତ। ମିଲ୍କ ମନ୍ତ୍ରର ଅଭିନବ ଡାଏରୀ ବ୍ରାଣ୍ଡ୍ ‘ମିଲ୍କି ମୁ’ର ମଧ୍ୟ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ତେବେ ଏହି ଅଧିଗ୍ରହଣ, ପୂର୍ବ ଭାରତୀୟ ଦୁଗ୍ଧ ବଜାରରେ ଏଚ୍ଏପିର ସ୍ଥାନ ସୁରକ୍ଷିତ କରିବା ସଙ୍ଗେସଙ୍ଗେ ଗ୍ରାହକମାନଙ୍କୁ ତାଜା, ଉଚ୍ଚମାନର ଦୁଗ୍ଧ ଜାତୀୟ ଉତ୍ପାଦ ଯୋଗାଇବାର କମ୍ପାନିର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ ।
ଏହି ଅବସରରେ, ମିଲ୍କ୍ ମନ୍ତ୍ରର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର କହିଥିଲେ, “ମିଲ୍କ୍ ମନ୍ତ୍ର ସର୍ବଦା ଏକ ଉଚ୍ଚକୋଟିର ଲକ୍ଷ୍ୟ ରଖିଥିବା ଦୁଗ୍ଧ ଖାଦ୍ୟ ବ୍ରାଣ୍ଡ୍ ଗଢ଼ିବାରେ ଧ୍ୟାନ ଦେଇଆସିଛି । ଏହା ସହ ନୈତିକ ଦୁଗ୍ଧ ସଂଗ୍ରହ ମଡେଲକୁ ଅଗ୍ରଣୀ କରିବା, ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ଆମର ଗ୍ରାହକମାନଙ୍କ ପାଇଁ ଉଚ୍ଚମାନର ଦୁଗ୍ଧଜାତୀୟ ଉତ୍ପାଦ ଯୋଗାଇବାକୁ ଗୁରୁତ୍ୱ ଦେଇଛି। ହଟ୍ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ୍ ଭଳି ଏକ କମ୍ପାନୀ ଦ୍ୱାରା ଅଧିକୃତ ହେବା ହେଉଛି ବ୍ୟାପକ ବଜାରରେ ଆମର ପ୍ରଭାବ ଏବଂ ନବସୃଜନକୁ ବୃଦ୍ଧି କରିବା ପାଇଁ ଆମର ଯାତ୍ରାରେ ଏକ ସ୍ୱାଭାବିକ ପଦକ୍ଷେପ । ଏଚ୍ଏପିର ଦୃଢ଼ ନେତୃତ୍ୱ ଏବଂ ବ୍ୟାପକ ସମ୍ବଳ, ଗ୍ରାହକ ଏବଂ ଚାଷୀ ଉଭୟଙ୍କୁ ଆମେ ପ୍ରଦାନ କରୁଥିବା ମୂଲ୍ୟକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ। ଆମେ ‘ମିଲ୍କି ମୁ’ର ଭବିଷ୍ୟତ ପାଇଁ ଖୁସି ଏବଂ ଏହି ମାଲିକାନା ପରିବର୍ତ୍ତନ କେବଳ ଓଡ଼ିଶା ନୁହେଁ ବରଂ ଓଡ଼ିଶାରେ ବାହାରେ ମଧ୍ୟ ସକାରତ୍ମକ ପରିବର୍ତ୍ତନ ଆଣିବ।”
ଅଧିଗ୍ରହଣ ବିଷୟରେ ମତାମତ ଦେଇ ହଟ୍ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ୍ର ଅଧ୍ୟକ୍ଷ ଆର୍.ଜି. ଚନ୍ଦ୍ରମୋଗନ୍ କହିଛନ୍ତି, “ମିଲ୍କ୍ ମନ୍ତ୍ର ଅଧିଗ୍ରହଣ କରି ଏଚ୍ଏପି ଦକ୍ଷିଣ ଏବଂ ପଶ୍ଚିମ ଭାରତ ବାହାରେ ବିସ୍ତାର କରୁଛି ଏବଂ ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ସୁଦୃଢ କରୁଛି । ଓଡ଼ିଶା ଗାଈ କ୍ଷୀରର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଅର୍ଥନୀତି ଦୃଷ୍ଟିକୋଣରୁ ଏହା ଅନେକ ସୁଯୋଗ ସୃଷ୍ଟି କରିଛି । ଆମେ ଆମର ଅରୁଣ, ଇବାକୋ, ହଟ୍ସନ୍ ଏବଂ ଆରୋକ୍ୟା ଭଳି ବ୍ରାଣ୍ଡ୍ରେ ‘ମିଲ୍କି ମୁ’ ଭଳି ଶକ୍ତିଶାଳୀ ବ୍ରାଣ୍ଡ୍ ଯୋଡିବାକୁ ଉତ୍ସାହିତ । ଆମେ ଓଡ଼ିଶାରେ ଦୁଗ୍ଧ ଶିଳ୍ପକୁ ବିସ୍ତାର କରିବାକୁ ପ୍ରତିବଦ୍ଧ। ଲଜିଷ୍ଟିକ୍ ଦୃଷ୍ଟିରୁ, ଏହା ଉତ୍ତର ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ନିକଟବର୍ତ୍ତୀ ରାଜ୍ୟଗୁଡିକରେ ବଜାରକୁ ସୁଦୃଢ କରିବା ପାଇଁ ମଧ୍ୟ ସୁଯୋଗ ପ୍ର୍ରଦାନ କରିବ, ଯେଉଁଠାରେ ଅରୁଣ ଆଇସ୍କ୍ରିମ ପୁର୍ବରୁ ଉପସ୍ଥିତ ଅଛି ।”