କଟକ: ଜଣାଶୁଣା କଣ୍ଠଶିଳ୍ପୀ। ତାଙ୍କ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗ ହୋଇଥିଲା। ଘଟଣାକୁ ଦେଢ଼ ବର୍ଷ ବିତିଗଲାଣି। ତଥାପି ପୋଲିସ୍ ହାତ ଖାଲି। ନିଜକୁ ମୋଷ୍ଟ ପାୱାର ଫୁଲ୍ କହୁଥିବା କମିଶନରେଟ୍ ପୋଲିସ କରୁଛି କଣ । ଏହାରି ଭିତରେ ବଦଳିଛି ସରକାର ଆଉ କଟକ କମିଶନରେଟରେ ଚାରି ଜଣ ଡିସିପି। ହେଲେ ଏବେ ଯାଏଁ ସୌରିନଙ୍କୁ ଗିରଫ କରାଯାଇପାରିନି। ଏବେ ପ୍ରଶ୍ନ ଉଠୁଛି ସୌରିନଙ୍କ ନାଁରେ ଅଭିଯୋଗ କରିଥିବା ମହିଳା କିପରି ପାଇବେ ନ୍ୟାୟ। ପୋଲିସ ଜାଣି ଶୁଣି ସୌରିନଙ୍କୁ ଗିରଫ କରୁ ନାହିଁ ବୋଲି କହିଛନ୍ତି ଆଇନଜୀବୀ। ଅନେକ ହାଇପ୍ରୋଫାଇଲ୍ କେସ୍ ରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ପୋଲିସ୍ ସୌରିନଙ୍କୁ ଧରିବାରେ ଅସୁବିଧା କୋଉଠି ବୋଲି ପ୍ରଶ୍ନ ବି କରିଛନ୍ତି ।
ଉଇ କେୟାର ଉଇ ଡେୟାରର ନାରା ଦେଉଥିବା କମିଶନରେଟ୍ ପୋଲିସ ଯୁବତୀଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯଦି ଏହି ଘଟଣାର କ୍ରମ ଦେଖିବା ୨୦୨୩ ମସିହା ଜୁନ ମାସ ୧୩ ତାରିଖରେ ସୌରିନଙ୍କ ନାଁରେ କଟକ ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଯୁବତୀ। ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା, ଗାଳି ଗୁଲଜ କରିବା ସହ ଆକ୍ରମଣ କରିବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ। ଯାହାକୁ ନେଇ ମହିଳା ଥାନା ପୋଲିସ ଦଫା ୪୧୭, ୪୯୩, ୩୭୬, ୩୨୩ ଓ ଦଫା ୫୦୬ ରେ ମାମଲା ରୁଜୁ କରି ଆରମ୍ଭ କଲା ତଦନ୍ତ। ଗିରଫଦାରୀ ଏଡାଇବାକୁ ସୌରିନ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷାରେ ରହିଥିଲେ। ସେପ୍ଟେମ୍ବର ୪ ରେ ଏହି ସୁରକ୍ଷାକୁ ହାଟାଇ ଦେଇଥିଲେ ଅଦାଲତ। ପରେ ସେପ୍ଟେମ୍ବର ୯ରେ ପୋଲିସ ଟିମ୍ ସୌରିନ ଘର ସମେତ ତିନୋଟି ଜାଗା ରେଡ୍ କରି ଥିଲେ କିନ୍ତୁ ଖାଲି ହାତରେ ଫେରିଥିଲେ।
ଏହାପରେ ସେହି ମାସ ୧୧ ତାରିଖରେ ପୋଲିସ ସୌରିନଙ୍କ ନାଁରେ ଲୁକ୍ ଆଉଟ୍ ସର୍କ୍ୟୁଲାର୍ ଜାରି କରିବା ସହ ୧୨ତାରିଖରେ ସୌରିନ ତିନୋଟି ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ କରାଯାଇଥିଲା। ଏହାପରେ ମଧ୍ୟ ସୌରିନଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ। ଶେଷ ରେ ଅକ୍ଟୋବର ଆଠରେ ସୌରିନ ନାମରେ ଜାମିନ ବିହୀନ ଗିରଫ ପରୱାନା ବା ଏନ୍ ବି ଡବ୍ଲୁ ଜାରି କରିଛି। ଏହି ସମ୍ବେଦନଶୀଳ ମାମଲାରେ, ତେଣୁ ପୋଲିସ କୋର୍ଟରେ ଚାର୍ଜ ସିଟ୍ ଦାଖଲ କରିଥିଲେ ମଧ୍ୟ ସୌରିନଙ୍କୁ ଗିରଫ କରିବାରେ ବିଫଳ ହୋଇଛି।
କମିଶନରେଟ ପୋଲିସ ବିଭିନ୍ନ ମାଧ୍ୟମରେ ବିଭିନ୍ନ ବଡ଼ ବଡ଼ ଅପରାଧୀ କୁ ରାଜ୍ୟ ତଥା ରାଜ୍ୟ ବାହାରୁ ଗିରଫ କରିଛି। କିନ୍ତୁ ଜଣେ କଣ୍ଠଶିଳ୍ପୀଙ୍କୁ କାହିଁକି ଗିରଫ କରିପାରିନାହିଁ ସେ ନେଇ ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋବା ସ୍ଵାଭାବିକ ନୁହେଁ କି ।