ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ: ଉପସ୍ଥିତ ଥିଲେ ସିଏମ, ୫ ସୁରକ୍ଷାକର୍ମୀ ଆହତ

Published By : Prameya-News7 Bureau | July 24, 2023 IST

ନୂଆଦିଲ୍ଲୀ, ୨୪/୦୭: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ହଙ୍ଗାମା। କାର୍ଯ୍ୟାଳୟ ଉପରକୁ ପଥରମାଡ଼ କଲେ ବିକ୍ଷୋଭକାରୀ। ଏଥିରେ ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କ ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ସାଙ୍ଗମାଙ୍କୁ କୌଣସି କ୍ଷତି ପହଞ୍ଚିନାହିଁ। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବେବି କାର୍ଯ୍ୟାଳୟରେ ଅଛନ୍ତି। ଶତାଧିକ ବିକ୍ଷୋଭକାରୀ କାର୍ଯ୍ୟାଳୟକୁ ଘେରି ରହିଛନ୍ତି।

ପ୍ରକୃତରେ ଗାରୋ ହିଲ୍ସରେ ରହୁଥିବା ସମ୍ପ୍ରଦାୟ ତୁରା ସହରକୁ ଶୀତଦିନିଆ ରାଜଧାନୀ ଘୋଷଣା କରିବାକୁ ଦାବି କରୁଥିଲେ। ଏଥିପାଇଁ ଅନଶନରେ ବସିଥିଲେ। କିନ୍ତୁ ସୋମବାର ସନ୍ଧ୍ୟାରେ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ଉପଦ୍ରବୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଉପରକୁ ପଥରମାଡ଼ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ହିଁ ଥିଲେ। ତେବେ ସୁରକ୍ଷାକର୍ମୀ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ୟୁନିଫର୍ମ ସିଭିଲ କୋଡ଼କୁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

ସୋମବାର ସନ୍ଧ୍ୟାରେ ଭିଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଏକାଠି ହେବାକୁ ଲାଗିଥିଲେ। ପ୍ରଥମେ ଭିଡ଼ ନାରାବାଜି କରିଥିଲେ ଏବଂ ନିଜ ଦାବି ଉଠାଇଥିଲେ। ଏହାପରେ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହକ କଥା ହେଉଥିବା ସମୟରେ ହିଁ ପଥରମାଡ଼ ହୋଇଥିଲା। ଭିଡ଼ କାର୍ଯ୍ୟାଳୟ ଉପରେ ପଥରମାଡ଼ କରିବା ଆରମ୍ଭ କରିଦେଇଥିଲେ। ଯେଉଁଥିରେ କାର୍ଯ୍ୟାଳୟର ସୁରକ୍ଷାରେ ନିୟୋଜିତ ପାଞ୍ଚ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଅଫିସ୍‌ ଭିତରକୁ ଅଣାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆହତ ସୁରକ୍ଷାକର୍ମୀଙ୍କୁ ଭେଟିଛନ୍ତି। ଅବଶ୍ୟ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.