ଦେଶରେ ୯୪% କମିଛି ମୋବାଇଲ୍ ଫୋନ୍ ଟାରିଫ୍; ଗୃହରେ ଉତ୍ତରେ ରଖିଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ, ୨୦୧୪ରୁ ମୋବାଇଲ ଫୋନ୍‌ ଟାରିଫ୍‌ ୯୪ ପ୍ରତିଶତ କମିଛି । ଏନେଇ ଲୋକସଭାରେ ତଥ୍ୟ ରଖିଛନ୍ତି କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସଂସଦରେ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ୨୦୧୪ରେ ଦେଶରେ ୯୦ କୋଟି ମୋବାଇଲ ଫୋନ୍‌ ଉପଭୋକ୍ତା ଥିଲେ । ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୧୬ କୋଟିରେ ପହଞ୍ଚିଛି । ସେହିଭଳି ଇଣ୍ଟର୍‌ନେଟ୍‌ ଉପଭୋକ୍ତାଙ୍କୁ ଯଦି ବିଚାରକୁ ନିଆଯାଏ, ତେବେ ୨୦୧୪ରେ ଦେଶରେ ମାତ୍ର ୨୫ କୋଟି ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ଥିଲେ । ବର୍ତ୍ତମାନ ଏ ସଂଖ୍ୟା  ୯୭.୪୪ କୋଟିକୁ ବୃଦ୍ଧି ପାଇଛି । ଯେତେବେଳେ ଉପଭୋକ୍ତା ବଢନ୍ତି, ସେତେବେଳେ ଟାରିଫ୍‌ ଦରକୁ ତଦାରଖ କରିବାର ଆବଶ୍ୟକତା ପଡ଼ିଥାଏ ।  ଗୃହକୁ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ଯେ, ୨୦୧୪ରେ ଗୋଟିଏ ମିନିଟ୍‌ର କଲ୍‌ କରିବା ପାଇଁ ଖର୍ଚ୍ଚ ପଡୁଥିଲା ୫୦ ପଇସା ।  ବର୍ତ୍ତମାନ ଏହା ୩ ପଇସାକୁ ଖସିଯାଇଛି । ଅର୍ଥାତ୍‌ ଖର୍ଚ୍ଚରେ  ୯୪% ହ୍ରାସ ଦେଖିବାକୁ ମିଳିଛି । 

୨୦୧୪ରେ ୧ଜିବି ବ୍ରଡ୍‌ବ୍ୟାଣ୍ଡ୍‌ ସ୍ପିଡ୍ ଦର ୨୭୦ଟଙ୍କା ପ୍ରତି ଜିବି ଥିଲା । ଏହା ବର୍ତ୍ତମାନ ୯.୭୦ ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ୍‌ ଟାରିଫ୍‌ ଦରରେ ୯୩% ହ୍ରାସ ଘଟିଛି । ଇଣ୍ଟର୍‌ନେଟ୍‌ ଡାଟା ଦରକୁ ଯଦି ହିସାବ କରାଯାଏ ତେବେ ଭାରତରେ ଏହା ସବୁଠାରୁ ଶସ୍ତା ।  କମ୍ପାନିମାନେ ଟାରିଫ୍‌ ଦରରେ ୧୦% ବଢ଼ାଇଛନ୍ତି । ଏହା  ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୋବାଇଲ ଟାରିଫ୍‌ରେ  କମ୍ପାନିଗୁଡ଼ିକ ୧୦% ବୃଦ୍ଧି କରିଛନ୍ତି କାରଣ ଦେଶରେ ୫ଜି ପ୍ରଯୁକ୍ତିରେ ଟେଲିକମ୍‌ କମ୍ପାନିଗୁଡ଼ିକର ବିପୁଳ ମାତ୍ରାରେ ନିବେଶ  କରିଛନ୍ତି । ଏହାକୁ ଆଦାୟ କରିବା ପାଇଁ କମ୍ପାନିଗୁଡ଼ିକ  ଟାରିଫ୍‌ ବୃଦ୍ଧି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ,   ୨୨ ମାସରେ ୯୮% ଜିଲ୍ଲା ଏବଂ ୮୨% ଜନସଂଖ୍ୟାଙ୍କ ନିକଟରେ ଟେଲିକମ୍‌ ସେବା ପହଞ୍ଚିଛି ।  ଟେଲିକମ୍‌ ସେବାରେ ସୁଧାର ଆଣିବା ପାଇଁ ତଥା ୫ଜି ସେବାରେ ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଛି । ନିବେଶ ଉପରେ ରିଟର୍ଣ୍ଣ ଆଦାୟ କରୁଛନ୍ତି ଟେଲିକମ୍‌  କମ୍ପାନି । ସେଥିପାଇଁ ସେମାନେ ଟାରିଫ୍‌ର ସାହାରା ନେଉଛନ୍ତି । ଭାରତରେ ଭଏସ୍‌ ଏବଂ ଡାଟା ଟାରିଫ୍‌ ସବୁଠୁ ଶସ୍ତା ବୋଲି  କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.