କଟକ ରାଜନୀତିରେ ବଦଳିବ କି ସମୀକରଣ ? ଦ୍ରୌପଦୀଙ୍କୁ ମୋକିମ୍‌ଙ୍କ ଭୋଟ୍‌ ପରେ ବଢିଲା ଚର୍ଚ୍ଚା

Published By : Prameya-News7 Bureau | July 18, 2022 IST

ଭୁବେନଶ୍ୱର ୧୮।୦୭: କଂଗ୍ରେସରେ ମୋକିମ୍‌ ଭୁମିକମ୍ପ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦଳ ନେଲେ ଗୋଟେ ନିଷ୍ପତ୍ତି, କିନ୍ତୁ ମୋକିମ୍‌ ଖେଳିଦେଲେ ଆଉ ଏକ ଚାଲ୍‌ । ଦଳୀୟ ନିଷ୍ପତ୍ତିରୁ ବାହାରାକୁ ଯାଇ ଏନ୍‌ଡିଏମ୍‌ ପ୍ରାର୍ଥୀଙ୍କୁ ଦେଲେ ଭୋଟ୍‌ । ଯାହାକୁ ନେଇ ଓଡିଶା କଂଗ୍ରେସର ହୁଲୁସ୍ତୁଲ ।

ଖବର ଅନୁଯାୟୀ, କିଛି ଦିନ ତଳେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ କାହାକୁ ଭୋଟ ଦେବେ , ସେନେଇ କଳ୍ପନାଜଳ୍ପନା ଚାଲିଥିଲା । ପରେ ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ଦଳ ପକ୍ଷରୁ ବିରୋଧୀ ପ୍ରାର୍ଥୀ ୟଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କଂଗ୍ରେସର ସବୁ ନେତା ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । କିନ୍ତୁ ଓଡିଶା କ୍ଷେତ୍ରରେ ଥିଲେ କିଛି ଅଲଗା । ସେତେବେଳେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଗଣମାଧ୍ୟମ ଆଗରେ ପାର୍ଟିର ନିଷ୍ପତ୍ତିଠୁ କହିଥିଲେ କିଛି ଭିନ୍ନ କଥା । ସୁର କହିଥିଲେ କି , ଦ୍ରୌପଦୀ ମୁର୍ମୁ ଓଡିଶାର ହୋଇଥିବା ଆମେ ତାଙ୍କୁ ଭୋଟ ଦେଲେ ଭଲ ହେବ । କିନ୍ତୁ ଏହି ବୟାନର କିଛି ଦିନ ପରେ ବଦଳିଯାଇଥିଲା ସୁରଙ୍କ ସ୍ୱର । ଆଉ କହିଥିଲେ କି, ପାର୍ଟିର ଯାହା ନିଷ୍ପତ୍ତି , ଆମେ ତାଙ୍କୁ ହିଁ ଭୋଟ ଦେବୁ । ସେହିପରି ଚୌଦ୍ୱାର- କଟକ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ଯେ, ଦଳ ଯାହାକୁ କହିବ ତାଙ୍କୁ ଆମେ ସମର୍ଥନ କରିବୁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବୋଚ୍ଚ । ଦଳ ଯାହାକୁ କହିବ ଆମେ ତାକୁ ସମର୍ଥନ କରିବୁ । ସବୁଠୁ ଉପରେ ଦଳ । କିନ୍ତୁ ଆଜି ସେ ନିଜେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ମୋ ବିବେକ ଅନୁଯାୟୀ ମୁଁ ଭୋଟ୍ ଦେଇଛି । ଯେହେତୁ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ, ଓଡିଶାର ଗର୍ବ ଗୌରବ ସେଥିପାଇଁ ମୁଁ ଭୋଟ୍ ଦେଲି । କାହାକୁ ଭୋଟ୍ ଦେବାକୁ ଦଳର କୌଣିସ ହ୍ବିପ୍ ନଥିଲା । ମୁଁ ଓଡିଆ ହିସାବରେ ତାଙ୍କୁ ଭୋଟ୍ ଦେଇଛି ।

ସେପଟେ  ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଯେ, ପୁରା ଘଟଣା ବିଷୟରେ ଆମେ ହାଇକମାଣ୍ଡଙ୍କୁ ଜଣାଇବୁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ନେଇ ତିନି ଥର ବୈଠକ ବସିଛି । ତାଙ୍କର ଯଦି ଆଉ କାହାକୁ ଭୋଟ ଦେବାର ଥିଲା, ସେ କହିପାରିଥାନ୍ତେ । କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡଙ୍କ ନିକଟରେ ଦାବି କରିବୁ । ସେପଟେ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଘଟଣାକୁ ନେଇ ହାଇକମାଣ୍ଡଙ୍କୁ ଜଣାଇଛନ୍ତି । ଏବଂ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ନିଆଯିବ ପଦକ୍ଷେପ ବୋଲି କହିଛନ୍ତି ।

ଅନ୍ୟପଟେ ଏବେ କଟକର ରାଜନୀତି ପାଣିପାଗ ବଦଳୁଥିବା ନେଇ ଚର୍ଚ୍ଚା ହେଉଛି । ବିଧାୟକ ମୋକିମ୍‌ ଦଳୀୟ ନିଷ୍ପତ୍ତିରୁ ବାହାରକୁ ଯାଇ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ । ଆଉ କହିଲେ କି, ମୋ ବିବେକ ଅନୁଯାୟୀ ମୁଁ ଭୋଟ୍ ଦେଇଛି ।  ହୁଏତ ଆଗାମୀ ଦିନରେ ଏହି ଘଟଣାକୁ ନେଇ ମୋକିମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ କଂଗ୍ରେସ ହାଇକମାଣ୍ଡ । ସେପଟେ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.