ଛତିଶଗଡ଼ରେ ବ୍ୟାପୁଛି ସ୍ବାଇନ ଫ୍ଲୁ; ନେଲାଣି ୧୭ ଜଣକ ଜୀବନ, ୩୦୦ରୁ ଅଧିକ ସଂକ୍ରମିତ

Published By : Prameya-News7 Bureau | September 06, 2024 IST

ରାୟପୁର: ଛତିଶଗଡ଼ରେ ଏବେ ସ୍ବାଇନ ଫ୍ଲୁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ପୁଣି ୧୪ ନୂଆ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୩୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି। ବିଳାସପୁରରେ ମୃତକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏଠାରେ ୭ ଜଣଙ୍କ ଜୀବନ ନେଇଛି ସ୍ବାଇନ ଫ୍ଲୁ । 

ସୂଚନା ଅନୁଯାୟୀ, ରାଜ୍ୟରେ ଏପର୍ଯ୍ୟନ୍ତ ସ୍ବାଇନ ଫ୍ଲୁରେ ୧୭ ଜଣକ ମୃତ୍ୟୁ ହୋଇଥିବାବେଳେ ୩୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୨ ଜଣକୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ୧୩ ଜଣ ହୋମ ଆଇସୋଲେସନରେ ଅଛନ୍ତି। ରାଜ୍ୟରେ ବିଳାସପୁର ପାଲଟିଛି ସ୍ବାଇନ ଫ୍ଲୁର ହଟ ସ୍ପଟ ଜିଲ୍ଲା । ବିଳାସପୁର ଜିଲ୍ଲାରେ ୨୦ ଦିନରେ ୧୪୪ ରୋଗୀ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରୁ ୭  ଜଣକ ମୃତ୍ୟୁ ହୋଇଛି। ଗୁରୁବାର ତିନି ଜଣ ଚିହ୍ନଟ ହୋଇଥିଲେ। 

ସେହିଭଳି ରାୟପୁରରେ ୮୫, ଦୁର୍ଗରେ ୨୬, ଜାଞ୍ଜଗିରରେ ୨୦, କୋରବାରେ ୨୬ ରୋଗୀ ଚିହ୍ନଟ ହୋଇଛନ୍ତି। ଦୁର୍ଗ ଜିଲ୍ଲାରେ ୨୩ ଚିହ୍ନଟ ହୋଇଥିବାବେଳେ, ୪ ଜଣକ ମୃତ୍ୟୁ ହୋଇସାରିଛି। ରାୟପୁରରେ ୧୦, ବୀଜାପୁରରେ, ଧମତରୀ, ସାରଙ୍ଗଢ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାସମୁନ୍ଦ ଜିଲ୍ଲାରେ ୭ ଚିହ୍ନଟ ଜଣେ ମୃତ। 

ସେପଟେ ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରୟାସ ଜୋରଦାର କରାଯାଇଛି। ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ସହ ଗାଇଡଲାଇନ ପାଳନ କରିବାକୁ କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.