ମୁମ୍ବାଇ ୧୪/୧୧: ବୋମାରେ ଉଡାଇ ଦେବୁ ଏୟାରପୋର୍ଟ । ମୁମ୍ବାଇ ଡୋମେଷ୍ଟିକ ଏୟାରପୋର୍ଟର CISF କଣ୍ଟ୍ରୋଲ ରୁମ୍କୁ ଆସିଛି ଏଭଳି ଧମକପୂର୍ଣ୍ଣ କଲ୍ । ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କୁହାଯାଇଛି । ଅଜଣା ନମ୍ବରରୁ ଏଭଳି ଧମକ ପରେ ମୁମ୍ବାଇ ବିମାନ ବନ୍ଦରରେ ସୁରକ୍ଷା ଆହୁରି ବଢାଇ ଦିଆଯାଇଛି । ଆକ୍ସନ ମୋଡ୍ରେ CISF ଟିମ୍ । ବିମାନବନ୍ଦରରେ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ପୋଲିସ ଏକ ଟିମ୍ ଘଟଣା ଉପରେ ନଜର ରଖିଛନ୍ତି । ସମସ୍ତ ଯାତ୍ରୀଙ୍କ ବିବରଣୀ ଯାଞ୍ଚ କରାଯାଉଛି । ତେବେ ଧମକ ଦେଇଥିବା ବ୍ୟକ୍ତି କୌଣସି ନିର୍ଦ୍ଧିଷ୍ଟ ବିମାନ ବିଷୟରେ ସୂଚନା ଦେଇନି । ଧମକପୂର୍ଣ୍ଣ କଲ୍ କିଏ କରିଛି ତାର ତଦନ୍ତ କରୁଛି ପୋଲିସ । ଏବେ ସୁଦ୍ଧା କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ପୋଲିସ କହିଛି ।