ନୂଆଦିଲ୍ଲୀ: ଭାରତ ଫେରିବ ମୁମ୍ବାଇ ହମଲାର ଷଡ଼ଯନ୍ତ୍ରକାରୀ ତହବ୍ବୁର ରାଣା । ଭାରତ ସରକାରଙ୍କ ପ୍ରତ୍ୟାର୍ପଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି ଆମେରିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ଆତଙ୍କବାଦୀ ରାଣାକୁ ଫେରାଇବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀକୁ ଭାରତ ପ୍ରତ୍ୟାର୍ପଣ ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି । ଏବେ ଆତଙ୍କବାଦୀର ବିଚାର ଭାରତରେ ହେବ । ଗତ ମାସରେ ଆମେରିକା ସୁପ୍ରିମକୋର୍ଟ ଆତଙ୍କୀ ତହବ୍ବୁର ରାଣାର ଭାରତ ପ୍ରତ୍ୟାର୍ପଣ ନେଇ ମଞ୍ଜୁରି ପ୍ରଦାନ କରିଥିଲେ । ତା’ ପୂର୍ବରୁ ରାୟକୁ ବିରୋଧ କରି ଦାୟର ହୋଇଥିବା ସମୀକ୍ଷା ଆବେଦନକୁ ଖାରଜ କରିଥିଲେ ଅଦାଲତ ।
୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ମୁମ୍ବାଇ ଆକ୍ରମଣରେ ୧୭୪ ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ ରୁ ଅଧିକ ଆହତ ହୋଇଥିଲେ । ମୃତକ ମାନଙ୍କ ମଧ୍ୟରେ କିଛି ଆମେରିକୀୟ ନାଗରିକ ମଧ୍ୟ ଥିଲେ । ୨୦୦୯ ମସିହାରେ ୫୮ ବର୍ଷ ବୟସ୍କ ତହବ୍ବୁର ରାଣାକୁ ଆମେରିକା ପୋଲିସ ଗିରଫ କରିଥିଲା । ସେ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଥିଲା । ତାକୁ ଆମେରିକୀୟ ଅଦାଲତ ଦୋଷୀ ଘୋଷଣା କରିଥିଲେ । ସେ ଏବେ ଲସ୍ ଆଞ୍ଜେଲ୍ସ ଜେଲରେ ଅଛି । ଆତଙ୍କବାଦୀ ତହବ୍ବୁର ରାଣାକୁ ଫେରାଇବାକୁ ଭାରତ ସରକାର ବାରମ୍ବାର ଅପିଲ୍ କରୁଥିଲେ । ୨୦୨୪ରେ ଆମେରିକା କୋର୍ଟ, ଭାରତ-ଆମେରିକା ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ, ତହବୁରକୁ ଇଣ୍ଡିଆ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସ୍ତାବ ଉପରେ ମଞ୍ଜୁରି ପ୍ରଦାନ କରିଛନ୍ତି ।
ମୁମ୍ବାଇ ୨୬/୧୧ ଆତଙ୍କୀ ହମଲା ଘଟଣାରେ ପୋଲିସ ନିଜ ଚାର୍ଜସିଟ୍ରେ ତହବ୍ବୁର ରାଣାର ନାଁକୁ ସାମିଲ୍ କରିଥିଲେ । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଆତଙ୍କୀ ସଂଗଠନ ଲସ୍କର-ଏ-ତୈବାର ଆକ୍ଟିଭ୍ ମେମ୍ବର ଭାବେ ସେ କାମ କରୁଥିବାର ଅଭିଯୋଗ ରହିଛି । ପୋଲିସ ଚାର୍ଜସିଟରେ ଉଲ୍ଲେଖ ରହିଛି, ସେ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ୍ ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କୁ ଷଡ଼ଯନ୍ତ୍ରରେ ସହଯୋଗ କରିଥିଲା । ମୁମ୍ବାଇର କେଉଁ କେଉଁ ସ୍ଥାନରେ ହମଲା ହେବ, ସେ ସ୍ଥାନରେ ରେକି କରିଥିଲା ତହବ୍ବୁର । ଏକ କୋଟି ଟଙ୍କା ସଂଗ୍ରହ କରି ପାକିସ୍ତାନୀ ଆତଙ୍କବାଦୀଙ୍କ ନିକଟକୁ ପଠାଇଥିଲା ।