ଦ୍ୱିତୀୟ ଥର WPL ଚାମ୍ପିଅନ ହେଲା ମୁମ୍ୱାଇ ଇଣ୍ଡିଆନ୍ସ, ଫାଇନାଲରେ ଦିଲ୍ଲୀକୁ ୮ ରନ୍‌ରେ କଲା ପରାସ୍ତ

Published By : Prameya-News7 Bureau | March 15, 2025 IST

ମୁମ୍ୱାଇ: ହରମନପ୍ରୀତ କୌରଙ୍କ କ୍ୟାପ୍ଟେନ ଇନିଂସ ବଳରେ ମହିଳା ପ୍ରିମିୟର ଲିଗ୍ ୨୦୨୫ରେ ଚାମ୍ପିଅନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ ଚଳିତ ସଂସ୍କରଣ ଟ୍ରଫି ଉଠାଇଛି । ଏହାସହ ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ୍ ଚାମ୍ପିଅନ ହୋଇଛି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଫାଇନାଲ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍ କରିବାରେ ସକ୍ଷମ ହେଲା ।

୧୫୦ ରନ୍‌ର ଟାର୍ଗେଟକୁ ପିଛା କରିବା ପାଇଁ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ଦଳ ୧୫ ରନ ସ୍କୋରରେ ଅଧିନାୟିକା ମେଗ୍ ଲାନିଙ୍ଗଙ୍କ ୱିକେଟ୍ ହରାଇଥିଲା । ଲାନିଙ୍ଗ ୧୩ ରନ୍ ଫେରିଥିଲେ । ଶେଫାଲି ବର୍ମା ୯ ବଲ୍‌ରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ଜୋନାସେନ ୧୫ ବଲ ଖେଳି ୧୩ ରନ୍ କରିଥିଲେ । ସଦରଲାଣ୍ଡ ମାତ୍ର ଦୁଇଟି ରନ୍ କରି ସାଇକାଙ୍କ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ । ତେବେ ଜେମିମା ରଡ୍ରିଗ୍ସ ୨୧ ବଲ୍‌ରେ ୩୦ ରନ୍ ଟିମକୁ ଲଢୁଆ ସ୍ଥିତିକୁ ଆଣିଥିଲେ । କିନ୍ତୁ ୧୮ତମ ଓଭରରେ ବ୍ରଣ୍ଟ ଦିଲ୍ଲୀକୁ ଡବଲ୍ ଝଟକା ଦେଇଥିଲେ । ସେ ୨୬ ବଲ୍‌ରେ ୪୦ ରନ୍ କରିଥିବା କାପ୍‌ଙ୍କୁ ପାଭିଲିୟନ୍ ପଠାଇ ଥିଲେ । ଏହା ପରେ ଶିଖା ପାଣ୍ଡେଙ୍କ ବି ଆଉଟ୍ କରିଥିଲେ । ମୁମ୍ୱାଇ ପାଇଁ ବ୍ରଣ୍ଟ ସର୍ବାଧିକ ୩ ୱିକେଟ୍ ନେଇଥିଲେ ।

ପ୍ରଥମ ଇନିଂସ

ଫାଇନାଲରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଖରାପ ଥିଲା । ଦଳ ୫ ଓଭର ମଧ୍ୟରେ ପ୍ରାରମ୍ଭିକ ବ୍ୟାଟରଙ୍କ ୱିକେଟ୍ ହରାଇଥିଲା । ୟାସ୍ତିକା ୮ ରନ୍ କରି ଆଉଟ ହୋଇଥିଲେ ଏବଂ ହେଲି ମାଥ୍ୟୁସ୍ ୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ହରମନପ୍ରୀତ ଏବଂ ବ୍ରଣ୍ଟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୬୨ ବଲରେ ୮୯ ରନ୍‌ର ଭାଗୀଦାରି ହୋଇଥିଲା । ବ୍ରଣ୍ଟ ୨୮ ବଲ୍‌ରେ ମାତ୍ର ୩୦ ରନ୍ କରିପାରିଥିଲେ । ଆମେଲିଆ କର ତିନୋଟି ବଲ୍‌ରେ ମାତ୍ର ଦୁଇ ରନ୍ କରିପାରିଥିଲେ । ସଜନା ଖାତା ଖୋଲିପାରି ନଥିଲେ । ଅଧିନାୟିକା ହରମନପ୍ରୀତ କୌର ୪୪ ବଲ୍‌ରେ ସର୍ବାଧିକ ୬୬ ରନ୍ କରିଥିଲେ । ଦିଲ୍ଲୀ ପାଇଁ କାପ୍,ଜୋନାସେନ ଓ ଚାରାଣି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.