ମୁମ୍ବାଇ ୮।୧୨: ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି (ଏମଭିଏ) ନେତାମାନେ ରବିବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀଶଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ବିରୋଧୀ ମେଣ୍ଟ ଦଳର କୌଣସି ଜଣେ ନେତାଙ୍କୁ ବିଧାନସଭାରେ ଉପବାଚସ୍ପତି ପଦ ଦେବାକୁ ଦାବି କରିଛନ୍ତି। ବୈଠକରେ ଏମଭିଏ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ବିରୋଧୀ ବିଧାନସଭା ବାଚସ୍ପତି ନିର୍ବାଚନ ନିର୍ବିରୋଧରେ କରିବେ, ତେବେ ସେମାନେ ଚାହୁଁଛନ୍ତି ଶାସକ ଦଳ ପ୍ରୋଟକଲର ପାଳନ କରନ୍ତୁ ଓ ଉପବାଚସ୍ପତି ପଦ ବିପକ୍ଷଙ୍କୁ ଦିଅନ୍ତୁ।
ମହାବିକାଶ ଅଘାଡ଼ିରେ ଶିବସେନା (ୟୁବିଟି), କଂଗ୍ରେସ ଓ ଶରଦ ପାୱାରଙ୍କ ଏନସିପି ଅଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଶିବସେନା ଉଦ୍ଧବ ନେତା ଭାସ୍କର ଯାଦବ ବିରୋଧୀ ଦଳଙ୍କ ନେତୃତ୍ୱ ନେଇଥିବା ବେଳେ ପରେ ଏମଭିଏ ବିଧାୟକମାନେ ବିଧାନସଭାରେ ମେଣ୍ଟ ରଣନୀତି ଉପରେ ଆଲୋଚନା କରିବା ପାଇଁ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭାର ୩ ଦିବସୀୟ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ରବିବାର ବିରୋଧୀ ଦଳର ୧୦୫ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ସେମାନେ ଇଭିଏମ ପ୍ରସଙ୍ଗକୁ ନେଇ ଶନିବାର ଅନୁଷ୍ଠିତ ପ୍ରଥମ ବୈଠକରେ ଶପଥପାଠ କରିବାକୁ ମନା କରିଦେଇଥିଲେ ଓ ଶିବସେନା(ଉଦ୍ଧବ) କକ୍ଷତ୍ୟାଗ କରିଥିଲା।
ଅପରପଟେ ବିଧାନସଭା ବାଚସ୍ପତି ପଦ ନିମନ୍ତେ ରାହୁଲ ନର୍ଭେକର ରବିବାର ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କୋଲାବା ଆସନରୁ ବିଧାୟକ ନର୍ଭେକର ନିର୍ବିରୋଧ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି। କାରଣ ଏହି ପଦବୀ ନିମନ୍ତେ ଅନ୍ୟ କୌଣସି ନେତା ପ୍ରାର୍ଥୀ ହୋଇ ନାହାନ୍ତି। ତେବେ ବିଧାସଭାରେ ବିଧାୟକଙ୍କ ଶପଥଗ୍ରହଣ ପୂର୍ବରୁ ବିରୋଧୀ ମେଣ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଧାନସଭା ଉପବାଚସ୍ପତି ପଦବୀ ନିମନ୍ତେ ନିଜ ଦାବି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଧାୟକଙ୍କ ଶପଥ ଓ ବାଚସ୍ପତିଙ୍କ ନିର୍ବାଚନ ପରେ ୯ ଡିସେମ୍ବର ସୋମବାର ରାଜ୍ୟପାଳ ବିଧାନସଭାକୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ ଯେ ନୂଆ ବିଧାନସଭାର ଶୀତକାଳୀନ ଅଧିବେଶନ ନାଗପୁରରେ ଆଗାମୀ ୧୬ରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀଶ ଗତ ୫ ତାରିଖ ଦିନ ଘୋଷଣା କରିଥିଲେ ଯେ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ନୂଆ ମନ୍ତ୍ରିମଣ୍ଡଳର ଘୋଷଣା କରାଯିବ।