ନୂଆଦିଲ୍ଲୀ: ମିଆଁମାରରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୪୪ଜଣ ମୃତ୍ୟୁ ହୋଇଥିବା ବେଳେ ୭୩୨ଜଣ ଆହତ ହୋଇଛନ୍ତି । ସଂକଟାପନ୍ନଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି । ଏବେବି କିଛି ଲୋକ ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କ ଖୋଜାଖୋଜି କରିବା ସହିତ ଧ୍ବଂସାବଶେଷ ତଳେ ଫସିଥିବା ଲୋକଙ୍କୁ ରେସକ୍ୟୁ କରୁଛନ୍ତି ।
ଶୁକ୍ରବାର ଦକ୍ଷିଣ-ପୂର୍ବ ଏସିଆ ଅର୍ଥାତ୍ ମିଆଁମାର ଓ ଥାଇଲ୍ୟାଣ୍ଡ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ଲଗାତାର ଦୁଇଟି ଝଟକା ଲାଗିଥିଲେ । ପ୍ରଥମ ଝଟକା ଦିନ ୧୧.୫୦ ମିନିଟରେ ଲାଗିଥିଲା । ପରେ ୧୨.୦୨ ମିନିଟରେ ଦ୍ବିତୀୟ ଝଟକା ଲଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ଓ ୭.୦ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ମାଣ୍ଡଲେ ସହରରୁ ପ୍ରାୟ ୧୭ କିଲୋମିଟର ମାଟି ତଳେ ରହିଛି । ମାଣ୍ଡଲେକୁ ଛାଡ଼ି ସଗାଇଂଗ, ରାଜଧାନୀ ନେଫିଡା ସହର ସହିତ ଅନ୍ୟ ପ୍ରାନ୍ତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।
ଶକ୍ତିଶାଳୀ ଭୂମିକମ୍ପରେ ସର୍ବାଧିକ ମିଆଁମାରରେ ହୋଇଛି । ତାସ୍ର ଘର ପରି ଉଚ୍ଚ ଅଟ୍ଟାଳିକା ସବୁ ମାଟିରେ ଲୋଟି ପଡ଼ିଛି । ମସଜିଦ, ବିଶ୍ବବିଦ୍ୟାଳୟ ବିଲ୍ଡଂ, ଐତିହାସିକ ପୋଲ ଭୁଶୁଡିପଡ଼ିଛି । ମିଆଁମାରର ସୈନ୍ୟ ସରକାର ଉଦ୍ଧାର କାର୍ଯ୍ୟ ଜୋରଦାର କରିଛି । ୬ଟି ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ଅନ୍ତରାଷ୍ଟ୍ରୀୟ ସହାୟତା ପାଇଁ ବିଭିନ୍ନ ଦେଶକୁ ସୈନ୍ୟ ସରକାର ଅପିଲ୍ କରିଛନ୍ତି । ଭୟଙ୍କର ଭୂମିକମ୍ପରେ ଥରି ଉଠିଛି ଦ୍ବୀପଦେଶ ଥାଇଲ୍ୟାଣ୍ଡ । ବ୍ୟାଙ୍କକରେ ଏକ ନିର୍ମାଣଧୀନ ୩୦ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା ଜଣାପଡ଼ିଛି । ସେହିପରି ବିଲ୍ଡିଂ ଧ୍ବଂସାବଶେଷ ତଳେ ୧୧୭ଜଣ ଫସିଥିବା କୁହାଯାଉଛି । ଉଦ୍ଧାରକାରୀ ଦଳ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଦେଶରେ ୧୪୪ଜଣ ମୃତ୍ୟୁ ହୋଇଥିବା ବେଳେ ୭୩୨ଜଣ ଆହତ ହୋଇଛନ୍ତି ।