ନୂଆଦିଲ୍ଲୀ: ଉତ୍ତରଖଣ୍ଡର ୪ ଜିଲ୍ଲାର ୧୭ ସ୍ଥାନର ନାମ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହରିଦ୍ୱାର, ଡେହରାଡୁନ, ନୈନିତାଲ୍ ଓ ଉଧମସିଂହ ନଗର ଜିଲ୍ଲା ସ୍ଥିତ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ ଏହି ସବୁ ସ୍ଥାନର ନାମକରଣ ଜନଭାବନା ଓ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଅନୁରୂପରେ କରାଯାଇଛି । ଅନ୍ୟପଟେ କଂଗ୍ରେସ ଏହି ନିଷ୍ପତ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ।
ସରକାରଙ୍କ ପକ୍ଷରୁ ଜାରି ଲିଷ୍ଟ ଅନୁସାରେ, ହରିଦ୍ୱାର ଜିଲ୍ଲାର ଔରଙ୍ଗଜେବପୁରର ନାଁ ଶିବାଜୀ ନଗର ହେବ । ସେହିପରି ଗାଜିବାଲୀର ନାଁ ଆର୍ଯ୍ୟନଗର, ଚାନ୍ଦପୁରର ନାଁ ଜ୍ୟୋତିବା ଫୁଲେ ନଗର, ମୋହମ୍ମଦପୁର ଜଟର ନାଁ ମୋହନପୁର ଜଟ, ଖାନପୁର କୁର୍ସଲୀର ନାଁ ଆମ୍ୱେଦକର ନଗର, ଇଦରୀଶପୁରର ନାଁ ନନ୍ଦପୁର, ଖାନପୁର ରାନ ଶ୍ରୀ କୃଷ୍ଣପୁର ଓ ଅକବରପୁର ଫାଜଲପୁରର ନାଁ ବିଜୟନଗର ରଖାଯାଇଛି ।
ଏହି ନିଷ୍ପତ୍ତି ଉପରେ ସିଏମ୍ ପୁଷ୍କର ସିଂହ ଧାମି କହିଛନ୍ତି ଯେ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ଜନଭାବନା ଓ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଅନୁରୂପରେ କରାଯାଇଛି । ଏହାଦ୍ୱାରା ଲୋକେ ଭାରତୀୟ ସଂସ୍କୃତି ଓ ଏହାର ସଂରକ୍ଷଣରେ ଯୋଗଦାନ ଦେଇଥିବା ମହାପୁରୁଷଙ୍କଠାରୁ ପ୍ରେରଣା ନେଇପାରିବେ ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି ଯେ ଆମେ ଏହା ସପକ୍ଷରେ କି ବିପକ୍ଷରେ ନାହୁଁ । ନାଁ ପରିବର୍ତ୍ତନ କରିବା ବିଜେପିର ଏଜେଣ୍ଡ ହୋଇଛି, ଆମେ କେବଳ ଏହା ହିଁ କହିବାକୁ ଚାହୁଁଛୁ । ଗତ ସାଢେ ୮ ବର୍ଷରେ ସମ୍ପୂର୍ଣ୍ଣ ବିଫଳ ରହିଛନ୍ତି । ଯେତେବେଳେ ଜନତା ସେମାନଙ୍କୁ ପ୍ରଶ୍ନ କରନ୍ତି, ଧ୍ୟାନ ହଟାଇବା ପାଇଁ ନାଁ ପରିବର୍ତ୍ତନର ନାଟକ କରନ୍ତି ।