ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଓ୍ଵାକଫ ସଂଶୋଧନ ବିଧେୟକ ଉପରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାର୍ଟି ଜନତା ଦଳ ୟୁନାଇଟେଡ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଜେଡିୟୁ ସଂସଦରେ ଓ୍ଵାକଫ ବିଲ୍ ଉପରେ ମୋଦୀ ସରକାରଙ୍କ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଲୋକସଭାରେ ଜେଡିୟୁର ମୁଖ୍ୟ ସଚେତକ ସୁନୀଲ କୁମାର ହ୍ଵିପ୍ ଜାରି କରି ପାର୍ଟିର ସମସ୍ତ ସାଂସଦଙ୍କୁ ଏପ୍ରିଲ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ କହିଛନ୍ତି।
ଓ୍ଵାକଫ ସଂଶୋଧନ ବିଧେୟକକୁ ଲୋକସଭାରେ ଆଲୋଚନା ପାଇଁ ବୁଧବାର ଉପସ୍ଥାପନ କରାଯିବ। ସମସ୍ତ ବିରୋଧୀ ଦଳ ଓ ବଡ଼ ସଂଖ୍ୟାରେ ମୁସଲିମ ସଂଗଠନ ଏହି ବିଧେୟକକୁ ତୀବ୍ର ବିରୋଧ କରିଛନ୍ତି। ବିହାରରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଏହା ମଧ୍ୟରେ ନୀତିଶ କୁମାରଙ୍କ ପାର୍ଟି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଓ୍ଵାକଫ ବିଲ୍କୁ ସମର୍ଥନ ଘୋଷଣା କରିଛି।
Also read: କପିଲ ମିଶ୍ରଙ୍କୁ ବଡ଼ ଝଟକା, ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ନେଇ ତଦନ୍ତ ଆଦେଶ ଦେଲେ କୋର୍ଟ
ତଥାପି ଜେଡିୟୁ ଭିତରେ ଏହି ବିଧେୟକକୁ ନେଇ ବିରୋଧର ସ୍ଵର ଉଠି ଆସିଛି। ବିଶେଷ କରି ପାର୍ଟିର ମୁସଲିମ ନେତା ଏହି ବିଧେୟକକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଜେଡିୟୁ ଏମଏଲସି ଗୁଲାମ ଗୌସ ଓ ପୂର୍ବତନ ସାଂସଦ ଅହମ୍ମଦ ଅଶଫାକ କରିମ ଖୋଲାଖୋଲି ବିଧେୟକକୁ ବିରୋଧ କରିଛନ୍ତି। ଏହା ସତ୍ତ୍ଵେ ଦଳର ଶୀର୍ଷ ନେତୃତ୍ଵ ବିଧେୟକକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପାର୍ଟି ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାର ସମ୍ଭାବନା ରହିଛି।
କେନ୍ଦ୍ର ମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ରହି ସାରିଥିବା ଲଲନ ସିଂ ମଙ୍ଗଳବାର ଅପରାହ୍ଣରେ ପାର୍ଟି ଓ୍ଵାକଫ ବିଲ୍ ଉପରେ ନିଜର ଆଭିମୁଖ୍ୟ ଗୃହରେ ସ୍ପଷ୍ଟ କରିବ ବୋଲି କହିଥିଲେ। ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ଝା କହିଥିଲେ ଯେ, ଜେଡିୟୁ ଏହି ବିଧେୟକକୁ ଗତ ତାରିଖଠୁ ଲାଗୁ କରିବାକୁ ଚାହୁଁଛି। ଆଶା କରୁଛୁ ସରକାର ଏହା ଉପରେ ବିଚାର କରିବେ। ତେବେ ଏହା ପୂର୍ବରୁ ଜେଡିୟୁ ନିଜର ସମର୍ଥନ ଘୋଷଣା କରିଛି।