ନୂଆଦିଲ୍ଲୀ ୩୧।୩: ଭାରତରେ ଔଷଧ କ୍ୱାଲିଟି ଯାଞ୍ଚରେ ଏକ ବଡ଼ କଥା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ଔଷଧି ପରୀକ୍ଷଣ ପ୍ରୟୋଗଶାଳା (ସିଡିଟିଏଲ) ଦ୍ୱାରା କରାଯାଇଥିବା ତାଜା ସର୍ଭେକ୍ଷଣରେ ୪୭ ଟି ଔଷଧର ନମୁନାରେ ମାନକ କ୍ୱାଲିଟି( ଏନଏସକ୍ୟୁ) ମିଳି ନାହିଁ। ଏହି ସବୁ ଔଷଧ ନମୁନାରେ ଭିଟାମିନ ସପ୍ଲିମେଣ୍ଟସ୍, ଆଣ୍ଟିବୋୟାଟିକ୍ସ ଓ ଆଣ୍ଟାସିଡ ଭଳି ସାଧାରଣରେ ବ୍ୟବହାରରେ ଆସୁଥିବା ଔଷଧ ରହିଛି।
ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅନୁସାରେ ଏନଏସକ୍ୟୁ ଭାବେ ଚିହ୍ନଟ କରାଯାଇଥିବା ଔଷଧର ସାମ୍ପୁଲକୁ ଏଗୁଡିକର ନିର୍ଦ୍ଧିଷ୍ଟ କ୍ୱାଲିଟି ମାନକରେ ବିଫଳତା ଆଧାରରେ ଚିହ୍ନଟ କରାଯାଏ। ଏହି ପ୍ରକ୍ରିୟା ସରକାରୀ ଲାବୋରେଟରୀମାନଙ୍କରେ ନିୟମିତ ରୂପେ ସବୁ ମାସରେ କରାଯାଏ। ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି ଯେ ଏହି ବିଫଳତା କେବଳ ପରୀକ୍ଷଣ କରାଯାଇଥିବା ବ୍ୟାଚ୍ ନିମନ୍ତେ ଲାଗୁ ହେବ। ତେବେ ବଜାରରେ ଉପଲବ୍ଧ ଅନ୍ୟ ଔଷଧକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ।
ତେବେ କେବଳ କେନ୍ଦ୍ରୀୟ ପ୍ରୟୋଗଶାଳା ନୁହେଁ ରାଜ୍ୟ ଔଷଧି ପରୀକ୍ଷଣ ପ୍ରୟୋଗଶାଳାମାନଙ୍କରେ ମଧ୍ୟ ୫୬ଟି ଔଷଧ କ୍ୱାଲିଟି ପରୀକ୍ଷଣରେ ବିଫଳ ହୋଇଛି। ଏହି ସ୍ଥିତି ଉପଭୋକ୍ତାଙ୍କ ନିମନ୍ତେ ଚିନ୍ତାର ବିଷୟ ହୋଇପାରେ। କାରଣ ସାଧାରଣ ଜନତା ଦୈନନ୍ଦିନ ଚିକିତ୍ସାରେ ଏହି ଔଷଧ ଗୁଡିକ ଉପରେ ନିର୍ଭରଶୀଳ। ଫେବୃଆରୀରେ ସରକାର ସୂଚିତ କରିଥିଲେ ଯେ ପଶ୍ଚିମବଙ୍ଗରେ ଏକ ଔଷଧର ସାମ୍ପୁଲକୁ ନକଲୀ ଔଷଧ ରୂପେ ଚିହ୍ନଟ କରାଯାଇଥିଲା। ଏହି ଔଷଧକୁ ଅନଧିକୃତ ନିର୍ମାତା କୌଣସି ଅନ୍ୟ କମ୍ପାନୀର ମାଲିକାନାଧୀନ ବ୍ରାଣ୍ଡରେ ତିଆରି କରାଯାଇଥିଲା। ଏହି ମାମଲାର ଯାଞ୍ଚ ଏବେବି ଜାରି ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଔଷଧ ନିୟାମକ ପ୍ରାଧିକରଣ ଲଗାତାର ଏପରି ଔଷଧ ଉପରେ ନଜର ରଖି ରହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏନଏସକ୍ୟୁ, ଭୁଲ ବ୍ରାଣ୍ଡିଂ ଓ ନକଲୀ ଔଷଧକୁ ନିୟମିତ ଚିହ୍ନଟ କରାଯାଉଛି। ରାଜ୍ୟ ନିୟାମକଙ୍କ ସହିତ ସମନ୍ୱୟ କରି ଏପରି ଔଷଧକୁ ବଜାରରୁ ହଟାଇବା ପ୍ରକ୍ରିୟା ଲଗାତାର ଜାରି ରହିଛି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଲୋକେ ଔଷଧ କିଣିବା କାଳରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଔଷଧ କିଣିବା ବେଳେ ଏହାର ବ୍ୟାଚ୍ ନମ୍ବର ଓ ଏକ୍ସପାୟରୀ ତାରିଖ ନିଶ୍ଚିତ ଯାଞ୍ଚ କରନ୍ତୁ।