ଦିଲ୍ଲୀ ୩୧।୩: ୱକଫ ସଂଶୋଧନକୁ ସାରା ଦେଶରେ ବିରୋଧ କରାଯାଉଛି। ସୋମବାର ସାରା ଦେଶରେ ଇଦ ଧୂମଧାମରେ ପାଳିତ ହୋଇଛି, ଏଥିରେ ମଧ୍ୟ ୱକଫ ବିରୋଧ ଦେଖାଯାଇଛି। କେତେକ ସହରରେ ଇଦ ନମାଜରେ ନମାଜୀ ମାନେ କଳାପଟି ପିନ୍ଧି ନମାଜ ପଢିଛନ୍ତି। ଯେଉଁସବୁ ସହରରେ ଇଦ ନମାଜରେ ୱକଫକୁ ବିରୋଧ କରାଯାଇଛି ଏଥିରେ ଦିଲ୍ଲୀ, ଜୟପୁର, ଭୋପାଲ, ବିଜୟୱାଡା ସମେତ ଅନ୍ୟ ପ୍ରମୁଖ ସହର ମଧ୍ୟ ରହିଛି।
ଏହାକୁ ୱକଫ ସଂଶୋଧନ ବିଧେୟକ ବିରୋଧରେ ସାଂକେତିକ ବିରୋଧ ମନେ କରାଯାଉଛି। କେବଳ ଇଦ ନମାଜ ନୁହେଁ ‘ଅଲବିଦା ଜୁମା କି ନମାଜ’ରେ ମଧ୍ୟ କେତେକ ସ୍ଥାନରେ ନମାଜୀମାନେ କଳା ପଟ୍ଟି ବାନ୍ଧି ନମାଜ ପଢିଥିଲେ। ଏହାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଥିଲା। ଇଦ ନମାଜ ୩୦ ଦିନର ରୋଜା ପରେ ଆସିଥାଏ। ଏହା ଏକ ଖୁସିର ଦିନ ଏଥିରେ ରାଜନୀତି କରିବା ଉଚିତ ନୁହେଁ । ନମାଜ ପାଠ କରିବା ଧାର୍ମିକ କାର୍ଯ୍ୟ ଓ କଳା ପଟ୍ଟି ବାନ୍ଧିବା ରାଜନୈତିକ ବୋଲି ବିଜେପି କହିଛି।
ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ ଭାବେ କହିଛନ୍ତି ଯେ ସଂସଦର ଏହି ଅଧିବେଶନରେ ୱାକଫ ସଂଶୋଧନ ବିଧେୟକ ଅଣାଯିବ। ଏଥିରେ ନମାଜୀମାନେ ନମାଜକୁ କଳା ପଟ୍ଟି ବାନ୍ଧି ଆସିବା ସାଂକେତିକ ବିରୋଧ ମନେ କରାଯାଉଛି। କେବଳ ଏତିକି ନୁହେଁ ଏନଡିଏ ସହଯୋଗୀ ଟିଡିପି, ଜେଡିୟୁ, ଏଲଜେପି ଓ ଅନ୍ୟ ଦଳଙ୍କ ଉପରେ ଏଥି ପାଇଁ ଚାପ ପକାଯାଉଛି। ତେବେ ସରକାର ଏହି ବିଧେୟକ ଗୃହୀତ କରିବା ପାଇଁ କୌଣସି ପ୍ରକାର ଚାପରେ ପଡୁନଥିବା ଦେଖାଯାଉଛି। ଏଥିରେ ସରକାର ପଛକୁ ହଟିବେ ନାହିଁ ବୋଲି ସଫାସଫା କହିଛନ୍ତି।