ଟାଟା ସନ୍ସ ଅଧ୍ୟକ୍ଷଙ୍କ ଆବେଗଭରା ପୋଷ୍ଟ, ମନେ ପକାଇଲେ ରତନଙ୍କ ସହ ବିତାଇଥିବା ମୁହୂର୍ତ୍ତ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ ୧୫/ ୧୦: ଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ରତନ ଟାଟା । ହେଲେ ତାଙ୍କ ସ୍ମୃତିକୁ ପୁଣି ସତେଜ କରିଦେଇଛି ଟାଟା ସନ୍ସ ଅଧ୍ୟକ୍ଷଙ୍କ ଆବେଗ ଭରା ପୋଷ୍ଟ । ରତନଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତକୁ ସେୟାର କରିଛନ୍ତି ସେ । ଯାହା ବେଶ ହୃଦୟସ୍ପର୍ଶୀ ।ସୋମବାର ଟାଟା ସନ୍ସ ଅଧ୍ୟକ୍ଷ ନଟରାଜ ଚନ୍ଦ୍ରଶେଖରନ, ରତନଙ୍କ ସହ ବିତାଇଥିବା କିଛି ସ୍ମରଣୀୟ ମୁହୁର୍ତ୍ତକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କେତେ ଦରଦୀ ଥିଲେ ରତନ । ସମସ୍ତଙ୍କ ପାଇଁ କେମିତି ତାଙ୍କ ହୃଦୟ କାନ୍ଦୁଥିଲା । ସବୁ କଥାକୁ ସେୟାର କରିଛନ୍ତି ସେ। କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ଠାରୁ ଆରମ୍ଭ କରି ଅଫିସ ବିଲ୍ଡିଂରେ ବୁଲୁଥିବା କୁକୁରମାନଙ୍କ ପାଇଁ ଚିନ୍ତା କରିବା ଯାଏ ସବୁ କଥା ମନେ ପକାଇ ଭାବପ୍ରବଣ ହୋଇଛନ୍ତି ନଟରାଜନ । 


ଚନ୍ଦ୍ରଶେଖରନଙ୍କ ପୋଷ୍ଟରେ ରଚନ ଟାଟାଙ୍କ ନେତୃତ୍ବ ଷ୍ଟାଇଲ ବେଶ ପ୍ରତିଫଳିତ ହୋଇଥିଲା । ପ୍ରକୃତରେ ରତନଙ୍କ ପରି କେହିନଥିଲେ ବୋଲି କହିଛନ୍ତି ଚନ୍ଦ୍ରଶେଖରନ । ପୁଣି ରତନଙ୍କ ସ୍ମୃତିରେ ବୁଡିଯାଇଛନ୍ତି ଚନ୍ଦ୍ରଶେଖରନ । କହିଛନ୍ତି ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରିଙ୍କ ବୋର୍ଡରୁମ ବିବାଦ ପରେ ୨୦୧୭ରେ ଟାଟା ସନ୍ସର ଅଧ୍ୟକ୍ଷ ଭାବରେ ମୋତେ ନିଯୁକ୍ତି ମିଳିଥିଲା । ଆଉ ମୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଉଭୟ କ୍ଷେତ୍ରରେ ରତନଙ୍କ ସହ ମିଶିଯାଇଥିଲି । ଯେତେ ବର୍ଷ ବଢୁଥିଲା  ଆମ ସଂପର୍କ ସେତେ ଗଭୀର ହେଉଥିଲା ।  ପ୍ରଥମେ ବ୍ୟବସାୟରୁ ଆରମ୍ଭ ହୋଇଥିବା ସଂପର୍କ କେତେବେଳେ ଯେ ବ୍ୟକ୍ତିଗତ ସ୍ତରରେ ପହଞ୍ଚି ଯାଇଥିଲା ଜଣାପଡିନଥିଲା । 

ସେ ଆହୁରି କହିଛନ୍ତି ରତନଙ୍କ ପ୍ରାଥମିକତା ଥିଲା ତାଙ୍କ କର୍ମଚାରୀଙ୍କ କଥା ବୁଝିବା । ୨୦୧୭ରେ ହୋଇଥିବା ବିବାଦ ବେଳେ ରତନଙ୍କର ପ୍ରାଥମିକତା ଥିଲା କର୍ମଚାରୀ ଓ ତାଙ୍କ ପରିବାରର ଭବିଷ୍ୟତକୁ ସୁନିଶ୍ଚିତ କରିବା ଓ ବିବାଦର ସମାଧାନ କରିବା । ସେ କହିଛନ୍ତି ଏହି ସମୟରେ ରତନ ଓ ମୁଁ ୟୁନିଅନର ନେତାମାନଙ୍କୁ ଭେଟିଥିଲୁ । ଏହି ମିଟିଂ ସମୟରେ ରତନ ୩ଟି ମେସେଜ ଦେଇଥିଲେ । ରିଜୋଲ୍ୟୁସ ପାଇବାର ବିଳମ୍ବ ଯୋଗୁ ସେ ଦୁଃଖ ପ୍ରକାଶ କରିଥିଲେ ।   କହିଥିଲେ ଆମ କଂପାନୀ ଏବେ ଖରାପ ସମୟ ଦେଇ ଗତି କରୁଛି । ଖୁବ ଶୀଘ୍ର ବିବାଦର ସମାଧାନ ହେବ ।ନିଜ କଂପାନୀ ସହ ଅନ୍ୟ ଗ୍ରୁପର କର୍ମଚାରୀଙ୍କ ପ୍ରତି ତାଙ୍କର ମନୋଭାବ ସମାନ ଥିଲା ଯାହା ଅନେକଙ୍କୁ ଆକୃଷ୍ଟ କରିଛି । ଚନ୍ଦ୍ରଶେଖରନ ଆହୁରି କହିଛନ୍ତି ଯେତେବେଳେ ମୁଁ ଟାଟା ଗ୍ରୁପର ଆଇକନିକ ବମ୍ବେ ହାଉସ ମୁଖ୍ୟାଳୟକୁ ନବୀକରଣ କରିବାକୁ ଚାହିଁଲି ସେତେବେଳେ ରତନଙ୍କର ପ୍ରଥମ ପ୍ରଶ୍ନ ଥିଲା କୁକୁରମାନେ କୁଆଡେ ଯିବେ । ଆଉ ମୁଁ ଉତ୍ତର ଦେଇଥିଲି ସେମାନଙ୍କ ପାଇଁ ଆସ୍ରୟସ୍ଥଳ ନିର୍ମାଣ କରିବା । ବିଲ୍ଡିଂର ମରାମତି କାମ ସରିବା ପରେ ରତନ ପ୍ରଥମେ ନୂଆ ବିଲ୍ଡିଂ ଦେଖିବା ବଦଳରେ କୁକୁରଙ୍କ ପାଇଁ ନିର୍ମାଣ ହୋଇଥିବା ଆଶ୍ରୟ ସ୍ଥଳୀ ଦେଖିବାକୁ ଚାହିଁଥିଲେ । କୁକୁରଙ୍କ ପାଇଁ ନିର୍ମାଣ ହୋଇଥିବା ସୁନ୍ଦର ଆଶ୍ରୟସ୍ଥଳକୁ ଦେଖି ବେଶ ଖୁସି ହୋଇଯାଇଥିଲେ ରତନ । ତାଙ୍କ ଆନନ୍ଦ ଆମକୁ ମନେ ପକାଇ ଦେଇଥିଲା ୟେ ଆମେ ସଠିକ ଭାବରେ କାମ କରୁଛୁ । ଚନ୍ଦ୍ରଶେଖରନ ପୁଣି ମନେ ପକାଇ କହିଛନ୍ତି ଟାଟାଙ୍କ ସହ ବିତାଇଥିବା ମୁହୂର୍ତ୍ତ ମୁଁ ସ୍ପଷ୍ଟ ଭାବରେ ମନେ ପକାଇ ପାରୁଛି ।

ଅକ୍ଟୋବର ୯ରେ ରତନ ଟାଟାଙ୍କ ମୃତ୍ୟୁ ପରେ ଏବେ ଟାଟା ଶିଳ୍ପ ସମୂହର ନୂଆ ମୁଖ୍ୟ ହୋଇଛନ୍ତି ନୋଏଲ ଟାଟା । ଗତ ଶୁକ୍ରବାରବସିଥିବା ବୈଠକରେ ନୋଏଲ ଟାଟାଙ୍କୁ ରତନ ଟାଟାଙ୍କ ଉତ୍ତରାଧିକାରୀ ଭାବରେ ବଛାଯାଇଛି । ନୋଏଲଙ୍କୁ ଟାଟା ଗ୍ରୁପର ଦୁଇଟି ଗୁରୁତ୍ବପୂର୍ଣ୍ଣ ଚାରିଟେବୁଲ୍ ଟ୍ରଷ୍ଟ- ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବଜୀ ଟା ଟ୍ରଷ୍ଟର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ରତନ ଟାଟଙ୍କ ପରି ଦେଶ ବିଦେଶରେ ଟାଟାର ପରିଚୟକୁ ନୋଏଲ କେତେଦୂର ଆଗକୁ ନେଉଛନ୍ତି ଓ କେତେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ। 

ପ୍ରତିଷ୍ଠିତ ବିଜନେସ ଟାଇକୁନ ଓ ପରପକାରୀ ରତନ ଟାଟା ନିଜର ମହାନ ସାମାଜିକ କାମ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବେ  । ସମାଜ ପ୍ରତି ତାଙ୍କ ଅବଦାନ ପରବର୍ତ୍ତୀ ପିଢି ପାଇଁ ଉଦାହରଣ ଓ ପ୍ରେରଣାଦାୟୀ ସାଜିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.