କଟକ: ଚାଲିଛି ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା। କେବଳ କିଣା ବିକା ପାଇଁ ଏହି ଐତିହାସିକ ବାଲିଯାତ୍ରା ପ୍ରସିଦ୍ଧ ନୁହେଁ ବରଂ ଏଥିରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରଖିଛି କିଛି ସ୍ୱତନ୍ତ୍ରତା । ବିଶେଷ କରି ବାଲିଯାତ୍ରା ତଳ ପଡ଼ିଆର ବୈଷ୍ଣବ ପାଣି ମଞ୍ଚରେ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ ନିଆରା।
ଏମିତିରେ ଶନିବାର ଦ୍ଵିତୀୟ ସନ୍ଧ୍ୟା ଥିଲା କିଛି ଖାସ। ମଞ୍ଚ ଉପରେ ଆଇଏନ୍ଏସ ଚିଲିକା ପକ୍ଷରୁ ଯବାନମାନେ ଭାରତୀୟ ନୌସେନା ବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ। ନୌସେନାର ଥିମ୍ ସହ ଦେଶତ୍ମକବୋଧକ ଗୀତ, ବଲିଉଡ୍ ଗୀତ, ଓଲିଉଡ ସଙ୍ଗୀତର ବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ ଯବାନମାନେ।
ବାଲିଯାତ୍ରା ପଡ଼ିଆରେ ନୌସେନାର ଯବାନମାନଙ୍କର ଏହି ସୁନ୍ଦର ବ୍ୟାଣ୍ଡ ସୋ ଦେଖିବା ପାଇଁ ବାଲିଯାତ୍ରା ବୁଲିବାକୁ ଯାଉଥିବା ଦର୍ଶକ ଅଟକିଯାଇଥିଲେ। ଅଧଘଣ୍ଟା ଧରି ଚାଲିଥିବା ଏହି ସୋ ଦେଖି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଏମିତିକି ଉପସ୍ଥିତ ଥିବା ସମସ୍ତ ଦର୍ଶକ ଝୁମିବା ସହ କୁନି ପିଲାମାନେ ନଚିବାରେ ଲାଗିଥିଲେ।