ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ମାମଲା ଏବେ କେବଳ ବିସିସିଆଇ କି ପିସିବି ମଧ୍ୟରେ ସୀମିତ ରହିନାହିଁ। ଏଥିରେ ଏବେ ଭାରତ ଓ ପାକିସ୍ତାନ ସରକାର ବି ସାମିଲ ହୋଇ ଯାଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଆଇସିସି ଜରିଆରେ ସୂଚନା ମିଳି ସାରିଛି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ତେବେ ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଭାରତ କାହିଁକି ନିଜର ଦଳ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ ଏହି ସମ୍ବନ୍ଧରେ ପାକିସ୍ତାନୀ କ୍ରିକେଟ୍ ବୋର୍ଡ ଆଇସିସିକୁ ପ୍ରଶ୍ନ କରିବ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିସିବି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ଚିଠି ଲେଖି ଜଣାଇଛି ଯେ, ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ ଖେଳୁ କି ନ ଖେଳୁ ପାକିସ୍ତାନ କୌଣସି ବି ସ୍ଥିତିରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନରୁ ଓହରିବ ନାହିଁ। ବିସିସିଆଇ ନିଜର ଦଳକୁ ପାକିସ୍ତାନ କାହିଁକି ପଠାଇବ ନାହିଁ ତାର କାରଣ ଜଣାଇ ନାହିଁ। କାରଣ ଜାଣିବା ପରେ ହିଁ ପିସିବି ଏହି ସମସ୍ୟାର ସମାଧାନ ଉପରେ ବିଚାର କରିବ ବୋଲି କୁହାଯାଇଛି।
ପାକିସ୍ତାନ କ୍ରିକେଟ୍ ବୋର୍ଡ ଯେଉଁ କ୍ରୀଡ଼ାସୂଚୀ ପ୍ରସ୍ତୁତ କରିଥିଲା, ସେଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଗ୍ରୁପ୍ ଏରେ ରହିଛନ୍ତି। ମାତ୍ର ଭାରତ ସରକାରଙ୍କ ଆଭିମୁଖ୍ୟ ଦେଖି ଆଇସିସି ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀକୁ ମଞ୍ଜୁରୀ ଦେଇ ପାରିନାହିଁ। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିସିବି ଏବେ ଆଇିସିସିକୁ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ନ ରଖିବାକୁ ଅପିଲ୍ କରିବ। ପାକିସ୍ତାନ ପକ୍ଷରୁ ମଧ୍ୟ ରୋକ୍ଠୋକ୍ ଶୁଣାଇ ଦିଆଯାଇଛି ଯେ, ଯେ ପର୍ଯ୍ୟନ୍ତ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ସହମତି ନ ଦେଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ଦଳ କୌଣସି ବି ଆଇସିସି କିମ୍ବା ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ସହ ମ୍ୟାଚ୍ ଖେଳିବ ନାହିଁ।