ଦୁବାଇରେ ସାନିୟା ମିର୍ଜାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ସମ୍ମାନୀତ ହେଲେ ହରଭଜନ ସିଂହ

Published By : Prameya-News7 Bureau | November 13, 2024 IST

ନୂଆଦିଲ୍ଲୀ ୧୩।୧୧: ଛଅ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା  ୱାର୍ଲଡ ଡବଲସ ନମ୍ବର ୱାନ୍ ସାନିୟା ମିର୍ଜାଙ୍କୁ ଦୁବାଇରେ ବଡ଼ ସମ୍ମାନ ମିଳିଛି। ସାନିୟା ଓ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କୁ ଦୁବାଇ ସ୍ପୋର୍ଟସ ଆମ୍ବାସେଡର ନିଯୁକ୍ତ କରାଯାଇଛି। ଦୁବାଇ ସ୍ପୋର୍ଟସ କାଉନସିଲ ଦ୍ୱାରା ଆୟୋଜିତ ଫ୍ୟୁଚରିଷ୍ଟିକ୍ ମ୍ୟୁଜିୟମ ଅଫ ଫ୍ୟୁଚରରେ ଆୟୋଜିତ ‘ଦୁବାଇ ସ୍ପୋର୍ଟସ୍ ରିଟ୍ରିଟ’ରେ ଏହି ଘୋଷଣା କରାଯାଇଛି। 

ଥିମ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମ କ୍ରିଡା ଉତ୍କୃଷ୍ଟତାରେ ନିଜକୁ ବୈଶ୍ୱିକ ନେତା ରୂପେ ସ୍ଥାପିତ କରିବା ପାଇଁ ଦୁବାଇର ବଢୁଥିବା ମହତ୍ୱକାଙକ୍ଷାକୁ ଦର୍ଶାଉଛି। ଦୁବାଇ ସ୍ପୋର୍ଟସ କାଉନସିଲ ଅଧ୍ୟକ୍ଷ ଶେଖ୍ ମନସୁର ବିନ ମହମ୍ମଦ ବିନ୍ ରାଶିଦ ଅଲ ମକତୁମଙ୍କ ନିର୍ଦ୍ଦେଶ ଅନୁସାରେ ରିଟ୍ରିଟର ଉଦ୍ଦେଶ୍ୟ ଦୁବାଇର କ୍ରିଡା ପ୍ରତିଷ୍ଠାକୁ ମଜଭୁତ କରିବା ଓ ସ୍ୱସ୍ଥ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା। ଏ ନେଇ ଦୁବାଇ କ୍ରାଉନ ପ୍ରିନ୍ସ ତାଙ୍କ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। 

ଏଥିରେ ରିଟ୍ରିଟ କାଳରେ ସ୍ପୋର୍ଟସ ଆମ୍ବାସେଡରଙ୍କୁ ଭେଟିଥିବା ସେ ଉଲ୍ଲେଖ କରିଛନ୍ତି । ଆରବ ଓ ଇଣ୍ଟରନ୍ୟାସନାଲ ଷ୍ଟାରଙ୍କ ଏକ ପ୍ରତିଷ୍ଠିତ ସମୂଦାୟ ଯେଉଁମାନେ ଦୁବାଇକୁ ନିଜ ଘର କୁହନ୍ତି କ୍ରିଡାକୁ ଉତ୍ସାହିତ କରିବା ସହ ପ୍ରତିଭାମାନଙ୍କୁ ପ୍ରେରିତ କରିବା ଲାଗି ସେମାନଙ୍କ ସଂକଳ୍ପ ବାସ୍ତବିକ ପ୍ରେରଣାଦାୟକ ବୋଲି ସେ ଉଲ୍ଲେଖ କରିଛନ୍ତି।   

୬ ଥରର ଗ୍ରାଣ୍ଡସ୍ଲାମ ବିଜେତା ତଥା ପୂର୍ବତନ ବିଶ୍ୱ ଡବଲସ ନମ୍ବର ୱାନ  ସାନିୟା ମିର୍ଜା ଏହି ନିଯୁକ୍ତି ଲାଗି ନିଜର ସମ୍ମାନ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦୁବାଇ ସ୍ପୋର୍ଟସ୍ ଆମ୍ବାସେଡର ନାମିତ ହେବା ମୋ ପାଇଁ ବଡ଼ ସମ୍ମାନ। ଦୁବାଇ ଦୀର୍ଘ ବର୍ଷରୁ ମୋର ଘର ହୋଇ ରହିଛି ଓ ମୁଁ ଲୋକଙ୍କୁ ଖେଳ ମାଧ୍ୟମରେ ଏକ ସଙ୍ଗରେ ଆଣିବା ଓ ସହରର ସମୃଦ୍ଧ ଖେଳ ସଂସ୍କୃତିର ଉତ୍ସବ ପାଳନରେ ସହାୟତା କରିବା ପାଇଁ ମୁଁ ରୋମାଞ୍ଚିତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.