ନୂଆଦିଲ୍ଲୀ ୧୯।୦୨ : କିଟରେ ଛାତ୍ରୀ ମୃତ୍ୟୁକୁ ଗୁରୁତର ସହ ନେଇଛନ୍ତି ନେପାଳ ସରକାର। ପଢିବାକୁ ଭାରତ ଆସିବା ଲାଗି ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବନି ବୋଲି ଧମକ ଦେଇଛନ୍ତି ନେପାଳ ସରକାର। ମୃତ ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ନେଇ ପରିବାର ଲୋକେ ନେପାଳ ଫେରିଥିବା ବେଳେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଧମକ ଦିଆଯାଇଛି।
ନେପାଳର ଶିକ୍ଷା ମନ୍ତ୍ରଣାଳୟ ଆହୁରି କହିଛି ଯେ, କିଟ୍ ବିଶ୍ବବିଦ୍ୟାଳୟରେ ଯେଭଳି ଘଟଣା ଘଟିଲା ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ପ୍ରଦାନ କରାଯିବନି। କିଟ୍ ବିଶ୍ବବିଦ୍ୟାଳୟରେ ଉପୁଜିଥିବା ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ଏକ ଡେସ୍କ ସ୍ଥାପନ କରାଯାଇଛି। KIITରେ ନେପାଳ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୁନଃ ଆରମ୍ଭ କରିବା ଏବଂ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।
କିଟ୍ ମାମଲା କ’ଣ ?
ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍ ରୁମ୍ର ଏକ ଫ୍ୟାନ୍ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍ ଯୋଗ ଷ୍ଟେସନ୍କୁ ପଠାଇ ଦେଇଥିଲେ । ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍ ଏ ଡାଏ ଘୋଷଣା କରିଥିଲେ । ଏସବୁ ଘଟଣା ପରେ ମାମଲା ତିବ୍ର ରୂପ ନେଇଥିଲା । ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ କରିଥିଲେ ।
ଅନ୍ୟପଟେ ଘଟଣାରେ ଅଭିଯୁକ୍ତ ଥିବା ଯୁବକ ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ବାହାରକୁ ଫେରାର ଉଦ୍ୟମ ବେଳେ ଧରିଥିଲା ପୋଲିସ ।ଯୁବକକୁ ଗିରଫ ସହ ମୋବାଇଲ୍, ଲାପଟପ ଜବତ କରିଥିଲା ପୋଲିସ । ଏପଟେ ପୋଲିସ ମଧ୍ୟ କଲେଜର ପାଞ୍ଚ ଅଧିକାରୀଙ୍କୁ ଗିରଫ କରିଥିଲା । ହେଲେ ଗିରଫର କିଛି ସମୟ ପରେ ସମସ୍ତ ପାଞ୍ଚ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଆଜିବି କଲେଜ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି ।
ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା : ପୋଲିସକୁ ମିଳିଲା ସୁଇସାଇଡ୍ ନୋଟ୍, ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଗଲା...