ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ଯାତ୍ରୀଙ୍କ ମୃତ୍ୟୁ ଚେତିଲେ ସରକାର । ମହାକୁମ୍ଭ ଭିଡ଼କୁ ନଜରରେ ରଖି କେନ୍ଦ୍ର ସରକାର ଓ ରେଳ ବିଭାଗ ନୂଆ କ୍ରାଉଡ୍ କଣ୍ଟ୍ରୋଲ୍ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ କରିଛି । ଏହି ଆଧାରରେ ପ୍ରାୟ ୬୦ଟି ରେଳ ଷ୍ଟେସନରେ ସ୍ଥାୟୀ ହୋଲ୍ଡିଂ ଜୋନ୍ ତିଆରି ହେବ । ଭିଡ଼ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବ୍ୟବହାର କରାଯିବ । ଏନେଇ ସ୍ଥାନୀୟ ରେଲଓ୍ବେ ପୋଲିସ ଅଧିକାରୀଙ୍କୁ ତାଲିମ୍ ଦିଆଯିବ । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ପ୍ରଶିକ୍ଷଣ ଦିଆଯିବ । ଯାତ୍ରୀ ହୋଲ୍ଡିଂ ଜୋନ ବାବଦରେ ଗାଇଡ୍ ପାଇଁ ସୂଚନାଫଳକ ଏବଂ ଡିଭାଇଡର ରହିବ ।
ପ୍ରୟାଗରାଜ ସହ ଲିଙ୍କ୍ ଥିବା ୩୫ଟି ରେଳ ଷ୍ଟେସନ ଉପରେ ସେଣ୍ଟ୍ରାଲ ଓ୍ବାର ରୁମକୁ ନଜର ରଖାଯିବ । କେବଳ ଦିଲ୍ଲୀ ରେଳ ଷ୍ଟେସନରେ ୨୦୦ ସିସିଟିଭି କ୍ୟାମେରା ଲାଗିବ । ସୂଚନା ଅନୁଯାୟୀ, ମହାକମ୍ଭକୁ ଆସୁଥିବା ୯୦ ପ୍ରତିଶତ ଶ୍ରଦ୍ଧାଳୁ ୪ଟି ରାଜ୍ୟର ୩୦୦ କିଲୋମିଟର ପରିଧି ମଧ୍ୟରୁ ଆସିଥାନ୍ତି । ତେଣୁ ଏହି ସବୁ ଷ୍ଟେସନ ଉପରେ ବିଶେଷ ଦୃଷ୍ଟି ଦିଆଯିବ । ଭିଡ଼ ନିୟନ୍ତ୍ରଣ ପାଇଁ ରେଳ ବିଭାଗ ସ୍ବତନ୍ତ୍ର ଅଭିଯାନ ଚଲାଇବ । ଯାତ୍ରୀଙ୍କୁ ଠିକ୍ ସୁବିଧା ମିଳୁଛି କି ନାହିଁ ଯାତ୍ରୀ, କୁଲି ଓ ଷ୍ଟେସନ ଭିତରେ ଥିବା ଦୋକାନୀଙ୍କ ଠାରୁ ଫିଡ୍ ବ୍ୟାକ୍ ନିଆଯିବ । ପରେ ଧୀରେ ଧୀରେ ପ୍ଲାନିଂରେ ପରିବର୍ତ୍ତନ କରାଯିବ ।
ଶନିବାର ଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ପ୍ଲାଟଫର୍ମ ୧୪ ଏବଂ ୧୬ରେ ଅତ୍ୟଧିକ ଭିଡ଼ ଏବଂ ଷ୍ଟେସନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ୧୫ଶହ ଟିକେଟ୍ ବିକ୍ରି ଯୋଗୁଁ ଏତେ ବଡ଼ ଅଘଟଣ ଘଟିଗଲା । ଯେଉଁଥି ପାଇଁ ୧୮ଜଣଙ୍କ ଜୀବନ ଚାଲିଯାଇଛି । ସେହିପରି ଏହି ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି ।