ରାମନବମୀରେ ଖୋଲିଲା ନୂଆ ପମ୍ବନ ବ୍ରିଜ, ପ୍ରଥମ ଥର ଗଡିଲା ରାମେଶ୍ବରମ ତାମ୍ବରମ ଟ୍ରେନ

Published By : Prameya-News7 Bureau | April 06, 2025 IST

ଚେନ୍ନାଇ ୦୬/୪: ରବିବାର ରାମନବମୀ ଅବସରରେ ଉଦ୍‌ଘାଟିତ ହୋଇଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ। ତାମିଲନାଡୁ ଗସ୍ତ ଅବସରରେ ନୂଆ ପମ୍ବନ ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମେଶ୍ବରମ-ତାମ୍ବରମ ନୂଆ ଟ୍ରେନ ସେବାକୁ ପତକା ଦେଖାଇ ଶୁଭାରମ୍ଭ କରିବା ପରେ ପମ୍ବନରେ ଦୌଡିଛି ଟ୍ରେନ  । 

ଏଥି ସହ ୮ହଜାର ୩ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସେତୁର ଉଦ୍‌ଘାଟନ ପରେ ମୋଦି ରାମେଶ୍ବରମର ରାମନାଥ ସ୍ବାମୀ ମନ୍ଦିର ପରିଦର୍ଶନ କରି ପୂଜା କରିବାର କାର୍ଯ୍ୟକ୍ରମ ରହିଛି । ବ୍ରିଜରେ ଖର୍ଚ୍ଚ ହୋଇଛି ପ୍ରାୟ ୫ଶହ ୫୦ କୋଟି ଟଙ୍କା । 

ଦକ୍ଷିଣ ଭାରତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ବଡ ଗିଫ୍ଟ ବୋଲି କୁହାଯାଉଛି ।। ଆରବ ସାଗର ଉପରେ ନିର୍ମିତ ହୋଇଛି ନୂତନ ରାମେଶ୍ବରମ-ପାମ୍ବନ ମଧ୍ୟରେ ରେଳ ସେତୁ । ୨.୦୮ କିଲୋମିଟର ଲମ୍ବା ଏହି ସେତୁ ତାମିଲନାଡୁର ରାମେଶ୍ବରମ ସହ ମଣ୍ଡପମକୁ ସଂଯୋଗ କରେ । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ନଭେମ୍ବର ମାସରେ ବ୍ରିଜର ଲୋକାର୍ପଣ କରିଥିଲେ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଡବଲ ଟ୍ରାକ ଓ ହାଇ ସ୍ପିଡ ଟ୍ରେନ ପାଇଁ କରାଯାଇଛି ଡିଜାଇନ । 

ଷ୍ଟେନଲେସ ଷ୍ଟିଲରେ ତିଆରି ଏହି ନୂଆ ସେତୁ ଉପରେ ପଲିସିଲୋକ୍ସେନର ଆବରଣ ଦିଆଯାଇଛି । ଯାହା କଳଙ୍କି ଓ ସମୁଦ୍ରର ଲୁଣିଆ ପାଣିରୁ ସେତୁକୁ ରକ୍ଷା କରିବ । ପୁରୁଣା ସେତୁରେ କଳଙ୍କି ଲାଗିବା ଯୋଗୁ ୨୦୨୨ରେ ବନ୍ଦ ହୋଇଯାଇଥିଲା । ଏହା ପରେ ରାମେଶ୍ବରମ ଓ ମଣ୍ଡପମ୍‌ ମଧ୍ୟରେ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । 

 

  • Tamilnadu
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.