କୋଲକାତା: ବିନା ହିଂସାରେ ପଶ୍ଚିମବଙ୍ଗରେ ରାମ ନବମୀର ଆୟୋଜନ ହେବା ଏକପ୍ରକାର ଅସମ୍ଭବ ହୋଇଗଲାଣି। ଚଳିତ ବର୍ଷ ବି ପଶ୍ଚିମବଙ୍ଗରେ ରାମ ନବମୀରେ ହିଂସା ଆରମ୍ଭ ହୋଇଛି। କୋଲକାତାରେ ହେଉଥିବା ରାମ ନବମୀ ପ୍ରୋସେସନ ଉପରେ ଆକ୍ରମଣ ହୋଇଛି ବୋଲି ରବିବାର ବିଜେପି ଅଭିଯୋଗ କରିଛି।
ଏହି ଆକ୍ରମଣ ପାଇଁ ଶାସକ ତୃଣମୁଳ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛି ବିଜେପି। ସେପଟେ ପୁଲିସ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି। ପାର୍କ ସରକସ୍ ଏରିଆରେ କୌଣସି ଏଭଳି ପ୍ରୋସେସନ ହୋଇ ନଥିଲା ବୋଲି ପୁଲିସ କହିଛି।
କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ଅଭିଯୋଗ କରିଛନ୍ତି ଯେ ରାମନବମୀ ଶୋଭାଯାତ୍ରା ଫେରୁଥିବା ସମୟରେ କୋଲକାତାର ପାର୍କ ସର୍କସ ସେଭେନ୍ ପଏଣ୍ଟ ଅଞ୍ଚଳରେ ହିନ୍ଦୁ ଭକ୍ତମାନଙ୍କ ଉପରେ "ନିଷ୍ଠୁର ଆକ୍ରମଣ" କରାଯାଇଛି। ହିନ୍ଦୁ ଭକ୍ତମାନେ କେବଳ ଗେରୁଆ ପତାକା ଧରିଥିବା ଯୋଗୁ ଗାଡ଼ିଗୁଡ଼ିକ ଉପରେ ପଥର ମାଡ଼ କରାଯାଇଛି। ଏଥିରେ କାର୍ ୱିଣ୍ଡସିଲ୍ଡ ଭାଙ୍ଗି ଯାଇଛି। ବିଶୃଙ୍ଖଳା ସୃଷ୍ଟି କରାଯାଇଛି। ଏହା ଅତର୍କିତ ଆକ୍ରମଣ ନଥିଲା ବରଂ ଏହା ଟାର୍ଗେଟ କରି ହିଂସାକାଣ୍ଡ ଘଟାଯାଇଛି। ଘଟଣା ବେଳେ ପୋଲିସ କେଉଁଠି ଥିଲା? କେବଳ ନିରବ ଦ୍ରଷ୍ଟା ହୋଇ ଦେଖୁଥିଲା। ପୁଲିସକୁ ମେରୁଦଣ୍ଡହୀନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ପଢନ୍ତୁ- ରାମ ନବମୀ ପାଇଁ ଉତ୍ସବ ମୁଖର ଅଯୋଧ୍ୟା, ୨ ଲକ୍ଷ ଦୀପରେ ଚମକିଲା ସରଜୁ ନଦୀ କୂଳ
ପଶ୍ଚିମବଙ୍ଗ ବିଜେପି ଦ୍ୱାରା ଘଟଣା ବେଳର ଭିଡିଓ ସେୟାର କରାଯାଇଛି। ଘଟଣାସ୍ଥଳରେ ଳ ପୋଲିସ ଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ବୋଲି ଅଭିଯୋଗ କରିଛି ଦଳ। ଏହି ଆକ୍ରମଣ ଫଳରେ ମମତାଙ୍କର ଦୀର୍ଘଦିନର ମନୋସ୍କାମନା ପୂରା ହୋଇଛି ବୋଲି ଦଳ ଅଭିଯୋଗ କରି ଟ୍ୱିଟ୍ କରିଛି।
ବିଜେପିର ଅଭିଯୋଗରେ କୋଲକାତା ପୁଲିସ ପ୍ରତିକ୍ରିୟା ଜାରି କରିଛି। ପୁଲିସ କହିଛି ପାର୍କ ସର୍କସରେ ଅଭିଯୋଗ ହୋଇଥିବା ଘଟଣାରେ ଏହା ସ୍ପଷ୍ଟ କରାଯାଉଛି ଯେ କୌଣସି ଶୋଭାଯାତ୍ରା ପାଇଁ କୌଣସି ଅନୁମତି ନିଆଯାଇ ନଥିଲା, କିମ୍ବା ସେହି ଅଞ୍ଚଳରେ ଏପରି କୌଣସି ଆନ୍ଦୋଳନ ହୋଇନଥିଲା। ତେବେ ଏକ ଗାଡ଼ି ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ଶାନ୍ତି ଫେରାଇ ଆଣିଥିଲା। ଘଟଣାର ତଦନ୍ତ ପାଇଁ ଏକ ମାମଲା ରୁଜୁ କରାଯାଇଛି। ଜନସାଧାରଣଙ୍କୁ କୌଣସି ଗୁଜବରେ ଧ୍ୟାନ ନ ଦେବାକୁ ପରାମର୍ଶ ଦେଇଛି ପୁଲିସ।