ନୂଆଦିଲ୍ଲୀ ୦୭/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଶୁଳ୍କ ବିଶ୍ୱବ୍ୟାପୀ ମଚାଉଛି ହାହାକାର । ବିଶେଷକରି ବିଶ୍ୱ ଅର୍ଥନୀତିରେ କମ୍ପନ ଦେଖାଦେଇଛି । ସୋମବାର ଏସୀୟ ଷ୍ଟକ୍ ବଜାରରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବଜାର ଖୋଲିବା ମାତ୍ରେ ଜାପାନର ନିକେଇରେ ୨୨୫ ପଏଣ୍ଟ ହ୍ରାସ ରେକର୍ଡ କରାଯାଇଥିଲା। ଗୋଟିଏ ଘଣ୍ଟା ପରେ, ଏହା ୭.୧ ପ୍ରତିଶତ ହ୍ରାସ ପାଇ ୩୧,୩୭୫.୭୧ରେ ପହଞ୍ଚିଥିଲା। ଦକ୍ଷିଣ କୋରିଆର କୋସ୍ପି ୫.୫ ପ୍ରତିଶତ ହ୍ରାସ ପାଇ ୨,୩୨୮.୫୨ରେ ପହଞ୍ଚିଛି, ଯେତେବେଳେ ଅଷ୍ଟ୍ରେଲିଆର S&P/ASX ୨୦୦ ମଧ୍ୟ ୬.୩ ପ୍ରତିଶତ ହ୍ରାସ ପାଇ ୭,୧୮୪.୭୦ରେ ପହଞ୍ଚିଛି।
ହଂକଂ ଷ୍ଟକ୍ ବଜାରରେ ମଧ୍ୟ ତୀବ୍ର ହ୍ରାସ ଘଟିଥିଲା । ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୯ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଶୁକ୍ରବାର ଦିନ, ଆମେରିକାର ନାସଡାକ୍ ୬ ପ୍ରତିଶତ ହ୍ରାସ ସହିତ ବନ୍ଦ ହୋଇଥିଲା । ଆକଳନ କରାଯାଉଛି ଯେ ଯଦି ଭାରତୀୟ ଷ୍ଟକ୍ ବଜାରରେ ଏହି ହ୍ରାସ ହୋଇଥାନ୍ତା, ତେବେ ସିଧାସଳଖ ୧୪୦୦ ପଏଣ୍ଟ ହ୍ରାସ ପାଇଥାନ୍ତା।
କହିବାକୁ ଗଲେ ଷ୍ଟକ୍ ମାର୍କେଟରେ ହ୍ରାସ ଉପରେ ଟ୍ରମ୍ପ କହିଥିଲେ ଯେ ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଅନ୍ୟ ଦେଶମାନେ ଆମେରିକା ସହିତ ଖରାପ ବ୍ୟବହାର କରିଥିଲେ। ଆମର ଦୁର୍ବଳ ନେତୃତ୍ୱ ଯୋଗୁଁ ଏହା ଘଟିଲା। ଆପଣଙ୍କୁ କହି ରଖୁଛୁ ଯେ ଟ୍ରମ୍ପଙ୍କ ଘୋଷଣା ପରେ, ସେୟାର ବଜାରରେ ଏକ ବଡ଼ ହ୍ରାସ ଘଟିଥିଲା। ଆମେରିକୀୟ ଷ୍ଟକ୍ ବଜାରଠାରୁ ଏସୀୟ ଷ୍ଟକ୍ ବଜାର ପର୍ଯ୍ୟନ୍ତ, ସମସ୍ତ ହ୍ରାସ ପାଇଲା। ବିଟକଏନ୍ ଭଳି କ୍ରିପ୍ଟୋକରେନ୍ସି ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଲା। ଏହା ନିବେଶକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ଯେ ଶୁଳ୍କ ମୁଦ୍ରାସ୍ଫୀତି ବୃଦ୍ଧି କରିବ ଏବଂ ଅର୍ଥନୀତି ମାନ୍ଦାବସ୍ଥା ଆଡକୁ ମୁହାଁଇପାରେ।
ପୂର୍ବରୁ, ବିଶେଷଜ୍ଞ ଜିମ୍ କ୍ରାମର୍ ଚେତାବନୀ ଦେଇଥିଲେ ଯେ ଆମେରିକୀୟ ବଜାରଗୁଡ଼ିକ ୧୯୮୭ ପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ । ଟିଭି ଶୋ’ରେ ଉପସ୍ଥିତ ହୋଇ କ୍ରାମର କହିଛନ୍ତି ଯେ ସୋମବାରର ପ୍ରଥମ ବାଣିଜ୍ୟ ଦିବସରେ ୧୯୮୭ ମସିହାର 'ବ୍ଲାକ୍ ମଣ୍ଡି' ପରେ ଏପ୍ରିଲ ୭ ରେ ସବୁଠାରୁ ଖରାପ ଦିନିକିଆ ହ୍ରାସ ହୋଇପାରେ ।
ସେହିଭଳି ଆମେରିକାର ଡାଓ ଜୋନ୍ସ ଦାବି କରିଛନ୍ତି ଯେ, ଯଦି ଆମେରିକା ରାଷ୍ଟ୍ରପତି ସେହି ଦେଶଗୁଡ଼ିକ ସହିତ ଯୋଗାଯୋଗ ନ କରନ୍ତି ଯେଉଁମାନେ ଆମେରିକା ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିନାହାଁନ୍ତି । ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ।