ନୂଆଦିଲ୍ଲୀ: ବିଜୟ ଦିବସ ପାଳନ ପରେଡ୍ରେ ଯୋଗ ଦେବାକୁ ଭାରତକୁ ନିମନ୍ତ୍ରଣ କଲା ଋଷ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏତ୍ ୟୁନିଅନ ବିଜୟର ୮୦ ତମ ବାର୍ଷିକୀ ଉପଲକ୍ଷେ ମେ ୯ ତାରିଖରେ ମସ୍କୋରେ ବିଜୟ ଦିବସ ସମାରୋହ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷ ସରକାର ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।
ପଢ଼ନ୍ତୁ- ମୁମ୍ବାଇ ନୁହେଁ ଦିଲ୍ଲୀ ତିହାର ଜେଲ୍ର ରହିବ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା !
ରୁଷର ଉପ-ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋ ଏହି ଘୋଷଣା କରିଛନ୍ତି। ନୂଆଦିଲ୍ଲୀକୁ ଏକ ସରକାରୀ ନିମନ୍ତ୍ରଣ ପଠାଯାଇଛି ଏବଂ ଉଚ୍ଚସ୍ତରୀୟ ଗସ୍ତ ପାଇଁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ଋଷ ସରକାରୀ ଗଣମାଧ୍ୟମ ଟାସ୍(TASS)ରେ ଖବର ପ୍ରକାଶ ପାଇଛି।
ତେବେ କେବଳ ଭାରତ ନୁହେଁ ଅନେକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ରାଷ୍ଟ୍ରର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ରୁଡେଙ୍କୋ ଘୋଷଣା କରିଛନ୍ତି। ମସ୍କୋର ଆଇକନିକ ରେଡ ସ୍କୋୟାରରେ ଏହି ବାର୍ଷିକ ସାମରିକ ପରେଡ ଆୟୋଜିତ ହେବ ବୋଲି ଋଷ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏନେଇ ଟାସ୍ ଭାରତ ସରକାରଙ୍କର ବିଶେଷ ସୂତ୍ରରୁ ମଧ୍ୟ ପ୍ରତିକ୍ରିୟା ନେଇଛି। ମେ ୯ ତାରିଖ ଋଷ ବିଜୟ ଦିବସ ପରେଡରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବେ ବୋଲି କୁହାଯାଇଛି। ଶ୍ରୀ ସିଂହ ମୋଦୀଙ୍କ ବଦଳରେ ଭାରତର ପ୍ରତିନିଧିତ୍ୱ କରିବେ। ତେଣୁ ଏଥିରେ ପିଏମ ମୋଦୀ ଋଷ ଗସ୍ତ କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।
ପଢନ୍ତୁ- ରାଜନୈତିକ ଓ କୂଟନୈତିକ ସମ୍ପର୍କ ଉପରେ ପଡିଲା ଆମେରିକା-ଚୀନ୍ ଟ୍ରେଡ ୱାରର ପ୍ରଭାବ
ସୂଚନା ଥାଉକି ଚଳିତ ବର୍ଷ ଶେଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବେ ବୋଲି ଗତ ମାସରେ ମସ୍କୋ ପକ୍ଷରୁ ସୂଚନା ଦିଆଯାଇଥିଲା। ଫେବୃଆରୀ ୨୦୨୨ରେ ରୁଷ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିବା ପରେ ଏହା ଭାରତକୁ ତାଙ୍କ ପ୍ରଥମ ଗସ୍ତ ହେବ ବୋଲି ଋଷ କହିଥିଲା। ଯଦିଓ ପୁଟିନଙ୍କ ଗସ୍ତ ତାରିଖ ଚୂଡ଼ାନ୍ତ ହୋଇନାହିଁ, ଉଭୟ ନେତା ଦ୍ୱିପାକ୍ଷିକ ବୈଠକ ଏବଂ ନିୟମିତ ଟେଲିଫୋନ ବାର୍ତ୍ତାଳାପ ମାଧ୍ୟମରେ ସ୍ଥିର କୂଟନୈତିକ ସମ୍ପର୍କ ବଜାୟ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ଜୁଲାଇ ୨୦୨୪ରେ ରୁଷ ଗସ୍ତ କରିଥିଲେ। ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଋଷକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ଏହା ପୂର୍ବରୁ, ସେ ୨୦୧୯ରେ ଏକ ଅର୍ଥନୈତିକ ସମ୍ମିଳନୀରେ ଯୋଗଦେବା ପାଇଁ ଭ୍ଲାଡିଭୋଷ୍ଟକ୍ ଯାତ୍ରା କରିଥିଲେ। ୨୦୨୪ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଏବଂ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ଦେଇଥିଲେ। ଏହି ନିମନ୍ତ୍ରଣକୁ କ୍ରେମଲିନ୍ ଗ୍ରହଣ ବି କରିଥିଲା।