ରାଜନୈତିକ ଓ କୂଟନୈତିକ ସମ୍ପର୍କ ଉପରେ ପଡିଲା ଆମେରିକା-ଚୀନ୍ ଟ୍ରେଡ ୱାରର ପ୍ରଭାବ

Published By : Prameya-News7 Bureau | April 09, 2025 IST

ବ୍ୟାଂକକ୍ ୯।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଟ୍ରେଡ ୱାର ଆମେରିକା ଓ  ଚୀନ୍‌ ମଧ୍ୟରେ ଏବେ ଉତ୍ତେଜନାର କାରଣ ପାଲଟିଛି। ଏଥି ଯୋଗୁ ଏବେ ଦୁଇ ଦେଶଙ୍କ ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ମଧ୍ୟ ତିକ୍ତତା ଦେଖା ଦେଇଛି। ଆଗାମୀ ସମୟରେ ଏହି ଟ୍ରେଡ ୱାର ଦୁଇ ଦେଶଙ୍କୁ କେଉଁ ଘାତକ ମୋଡରେ ପହଞ୍ଚାଇବା ତାର ଆକଳନ ଏବେଠୁ କରିବା କଷ୍ଟକର। ତେବେ ଆମେରିକା ଓ ଚୀନ୍ ମଧ୍ୟରେ ଟ୍ରେଡୱାର ବିପଦଜନକ ରୂପ ନେବ ବୋଲି ଅନୁମାନ କରାଗଲାଣି।  

ଆମେରିକା ତାର ନୂଆ ବାଣିଜ୍ୟ ନୀତି ଅନୁସାରେ ପ୍ରଥମେ ଚୀନ୍‌ ଉପରେ ୩୪% ରେସିପ୍ରୋକାଲ ଟାରିଫ ଲାଗୁ କରିଥିଲା। ଏହା ପରେ ଚୀନ ମଧ୍ୟ ଆମେରିକା ଉପରେ ସେତିକି ପ୍ରତିଶତ ଟ୍ୟାକ୍ସ ଅଲଗା ଲଗାଇଥିଲା। ଆମେରିକାର ଧମକ ସତ୍ତ୍ୱେ ଚୀନ୍ ଯେତେବେଳେ ନିଜର ଶୁଳ୍କ ପ୍ରତ୍ୟାହାର ନ କଲା ହ୍ୱାଇଟହାଉସ୍ ଚୀନ୍‌ ଉପରେ ଆହୁରି ୫୦% ଟାରିଫ ଲଗାଇଛି। ଏଥିରେ ଉତକ୍ଷିପ୍ତ ବେଜିଂ ଆମେରିକା ଉପରେ ୮୪ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଲଗାଇବାକୁ ଘୋଷଣା କରିଛି। ଫଳରେ ଦୁଇ ଦେଶଙ୍କ ସମ୍ପର୍କ ଏବେ ବିଗିଡି ଯାଇଛି। 

ଚୀନ୍ ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କକୁ ବଢାଇ ୮୪% କରିଦେଇଛି। ଏଣୁ ହ୍ୱାଇଟହାଉସ୍‌ ରେ ପୁଣି ଥରେ ହଲଚଲ ଆରମ୍ଭ ହୋଇଯାଇଛି। ଏହି ବର୍ଦ୍ଧିତ ଟ୍ୟାକ୍ସ ୧୦ ଏପ୍ରିଲ ଅର୍ଥାତ ଗୁରୁବାରଠାରୁ ଲାଗୁ ହେବ। ଏହା ସହିତ ଚୀନ ଆରମ୍ଭ ହୋଇଥିବା ବ୍ୟବସାୟ ଯୁଦ୍ଧକୁ ଶେଷ ପର୍ଯ୍ୟନ୍ତ ଲଢିବ ବୋଲି ମଧ୍ୟ ଚେତାବନୀ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଚୀନ୍ ଗତ ସପ୍ତାହରେ କହିଥିଲା ଯେ ଦେଶରେ ସବୁ ଆମେରିକୀୟ ସାମଗ୍ରୀ ଉପରେ ୩୪% ଶୁଳ୍କ ଲାଗୁ କରିବ। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ହେଉଥିବା ଚୀନର ରପ୍ତାନୀ ଉପରେ ୧୦୪% ଶୁଳ୍କ ଲାଗୁ କରିବା ପରେ ଚୀନ୍‌ ଏପରି ପଦକ୍ଷେପ ଗ୍ରହଣ କରିଛି। 

ବେଜିଂ କହିଛି ଯେ ଆମେରିକା ବିରୋଧରେ ବିଶ୍ୱ ବ୍ୟାପାର ସଙ୍ଗଠନ (ଡବ୍ଲୁଟିଓ)ରେ ଆଉ ଏକ ମକଦ୍ଦମା ରୁଜୁ କରିବ। କେବଳ ଏତିକି ନୁହେଁ ଚୀନ୍ କମ୍ପାନୀଙ୍କ ସହିତ ବ୍ୟବସାୟ କରୁଥିବା ଆମେରିକୀୟ କମ୍ପାନୀଙ୍କ ଉପରେ ଅଧିକ କଟକଣା ଲଗାଇବ ବୋଲି ମଧ୍ୟ ଘୋଷଣା କରିଛି। ଚୀନ ବାଣିଜ୍ୟ ମନ୍ତ୍ରାଳୟ ଆମେରିକା ସହିତ ବ୍ୟବସାୟକୁ ନେଇ ଏକ ଶ୍ୱେତପତ୍ର ମଧ୍ୟ ଜାରି କରିଛି। ଏଥିରେ କୁହାଯାଇଛି ‘ଯଦି ଆମେରିକା ନିଜର ଆର୍ଥିକ ଓ ବ୍ୟାପାର କଟକଣାକୁ ଆହୁରି ବଢାଇବାକୁ ଜୋର ଦିଏ ତେବେ ଚୀନ ନିକଟରେ ଜରୁରି ଜବାବ ଦେବାକୁ, ଉପାୟ କରିବାକୁ ଓ ଶେଷ ପର୍ଯ୍ୟନ୍ତ ଲଢିବା ପାଇଁ ଦୃଢ ଇଛାଶକ୍ତି ଓ ପର୍ଯ୍ୟାପ୍ତ ସାଧାନ ଅଛି’। 

ତେବେ ଏ ନେଇ ହ୍ୱାଇଟ୍ ହାଉସ୍ ସହିତ କୌଣସି ଆଲୋଚନା କରିବ କି, ଯେପରି ଅନ୍ୟଦେଶମାନେ ଆରମ୍ଭ କଲେଣି ସେ ନେଇ ଚୀନ ସରକାର କୌଣସି ଟିପ୍ପଣୀ କରି ନାହାନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଶ୍ୱିକ ସ୍ତରରେ ଶୁଳ୍କରେ ଭାରି ବୃଦ୍ଧି, ବିଶେଷ କରି ଚୀନକୁ ନଜରରେ ରଖି ଆମେରିକାକୁ ହେଉଥିବା ଚୀନ୍ ରପ୍ତାନୀ ଉପରେ ୧୦୪% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.