କଲମ୍ବୋ ୬।୪: ଶ୍ରୀଲଙ୍କା ରବିବାର ଏକ ବିଶେଷ କାର୍ଯ୍ୟକ୍ରମରେ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଏହି ପଦକ୍ଷେପ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତାର ଗୋଟିଏ ଦିନ ପରେ ନିଆଯାଇଛି। ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀ ସମସ୍ୟାକୁ ମାନବିକ ଦୃଷ୍ଟିକୋଣରୁ ସମାଧାନ କରାଯିବା ଦରକାର ବୋଲି କହିଥିଲେ। ସେହି ଅନୁସାରେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଥିବାର ଜଣାପଡିଛି।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ବୈଠକରେ ମତ୍ସ୍ୟଜୀବୀ ପ୍ରସଙ୍ଗକୁ ପ୍ରମୁଖତାର ସହ ଉଥାପନ କରାଯାଇଥିଲା। ଦିଶାନାୟକେଙ୍କ ସହ ସାକ୍ଷାତ ଆଲୋଚନା ପରେ ମୋଦି ଗଣମାଧ୍ୟମକୁ ଆମେ ମତ୍ସ୍ୟଜୀବୀଙ୍କ ଜୀବିକାକୁ ନେଇ ମଧ୍ୟ ଆଲୋଚନା କରିଥିବାର କହିଥିଲେ। ମୋଦି କହିଥିଲେ ଯେ ଆମେ ଏ କଥାରେ ମଧ୍ୟ ସହମତ ହୋଇଛୁ ଯେ ଏପରି ମାମଲାରେ ମାନବୀୟ ଦୃଷ୍ଟିକୋଣକୁ ଆପଣାଇ ଆଗକୁ ବଢିବା ଉଚିତ।
ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀ ଓ ସେମାନଙ୍କ ନୌକାକୁ ତୁରନ୍ତ ଛାଡି ଦିଆଯିବା ଦରକାର ବୋଲି କହିଥିଲେ। ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ଦିନିଆ ଶ୍ରୀଲଙ୍କା ଗସ୍ତ ଶେଷ ହୋଇଛି। ଉଲ୍ଲେଖଯୋଗ୍ୟ ପୂର୍ବରୁ ଶ୍ରୀଲଙ୍କା ନୌସେନା ପାକ୍ ଷ୍ଟ୍ରିଟ୍ ରେ ଭାରତୀୟ ମତ୍ସ୍ୟଜୀବୀଙ୍କ ବିରୋଧରେ ବଳପ୍ରୋୟଗ କରିବାର ଅନେକ ଉଦାହରଣ ରହିଛି। ତାମିଲନାଡୁ ଓ ଶ୍ରୀଲଙ୍କାକୁ ପୃଥକ କରୁଥିବା ପାକ୍ ଷ୍ଟ୍ରିଟ ଏକ ସଂକିର୍ଣ୍ଣ ଜଳମାର୍ଗ। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପରେ ମୋଦି ତାଙ୍କ ଗଣମାଧ୍ୟମ ବୟାନରେ ଏପରି ମାମଲାକୁ ମାନବୀୟ ଦୃଷ୍ଟିକୋଣରୁ ଦେଖାଯିବା ଦରକାର ବୋଲି କହିଥିଲେ।