ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଛନ୍ତି। ଦେଶର ଅନେକ ସେକ୍ଟରରେ ଏହାର ପ୍ରଭାବ ପଡ଼ିବା ନେଇ ସମ୍ଭାବନା ରହିଛି। ଏମିତିକି ଦେଶର ‘ମାଛ ମାର୍କେଟ’ ଅର୍ଥାତ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବ୍ୟବସାୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
ସୂଚନାଥାଉକି, ଭାରତ ପ୍ରତି ବର୍ଷ ଆମେରିକାକୁ କୋଟି କୋଟି ଟଙ୍କାର ସାମୁଦ୍ରିକ ଉତ୍ପାଦ ରପ୍ତାନୀ କରିଥାଏ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତ ଆମେରିକାକୁ ୨.୫ ବିଲିୟନ ଡଲାରର ସାମୁଦ୍ରିକ ଉତ୍ପାଦ ରପ୍ତାନୀ କରିଥିଲା। ଏବେ ଟ୍ରମ୍ପ ଟାରିଫ୍ କାରଣରୁ ଏହି ବ୍ୟବସାୟ ଉପରେ ପ୍ରଭାବ ପଡ଼ିପାରେ।
ଚିଙ୍ଗୁଡ଼ି ବ୍ୟବସାୟକୁ ହୋଇପାରେ କ୍ଷତି
ଭାରତରୁ ଆମେରିକାକୁ ଯେଉଁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହେଉଛି ସେଥିରେ ପ୍ରାୟ ୯୨ ପ୍ରତିଶତ କେବଳ ଚିଙ୍ଗୁଡ଼ି ରହିଛି। ଆମେରିକାକୁ ଚିଙ୍ଗୁଡ଼ି ଯୋଗାଉଥିବା ବଡ଼ ଦେଶଙ୍କ ମଧ୍ୟରେ ରହିଛି ଭାରତ। ଏହା ବାଦ୍ ବିଭିନ୍ନ ପ୍ରକାରର ମାଛ ମଧ୍ୟ ଭାରତ ଆମେରିକାକୁ ରପ୍ତାନୀ କରିଥାଏ। ହେଲେ ଏବେ ୨୬ ପ୍ରତିଶତ ଟାରିଫ୍ ଲାଗିବା ପରେ ଏହି ସେକ୍ଟରରେ ରପ୍ତାନୀ ପ୍ରଭାବିତ ହେବାର ଆଶଙ୍କା ବଢ଼ିଛି।
ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ସଂଘର ଅଧ୍ୟକ୍ଷ ପବନ କୁମାରଙ୍କ କହିବା ଅନୁଯାୟୀ, ଟ୍ରମ୍ପ ଟାରିଫ୍ କାରଣରୁ ଭାରତର ରପ୍ତାନୀ ଉପରେ ପ୍ରାୟ ୬୦୦ କୋଟି ଟଙ୍କାର ବୋଝ ବଢ଼ିବ। ଭାରତର ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉପରେ ଏହି ଟାରିଫ୍ର ପ୍ରଭାବ ଏପ୍ରିଲ ୯ ତାରିଖରୁ ଦେଖିବାକୁ ମିଳିପାରେ। କାରଣ ବର୍ତ୍ତମାନ ଏହି ଉତ୍ପାଦ ନେଉଥିବା ୨୦୦୦ କଣ୍ଟେନର ଆମେରିକା ବଜାରରେ ରହିଛି। ଭାରତରେ ସମୁଦ୍ରରୁ ମିଳୁଥିବା ଉତ୍ପାଦ ଯେମିତିକି ଚିଙ୍ଗୁଡ଼ି, ସାର୍କ, ଟୁନା, ହିଲସା, ସାର୍ଡିନ, ମାକାରେଲ ଏବଂ ହ୍ବେଲ ସାର୍କ ରହିଛି।